ଗଛକୁ ପିଟି ହେଲା ଟ୍ରାଭେଲର ୧୪ ଗୁରୁତର ଏବଂ ଜଣେ ମୃତ l
ସୋର/ସିମୁଳିଆ (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ବରଯାତ୍ରୀ ଯିବା ହେଲା କାଳ, ବରଯାତ୍ରୀ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା ଟ୍ରାଭେଲର। ୧୪ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ। ବିବାହ କାର୍ଯ୍ୟ ସାରି ସେଠାରୁ ଡୁଡୁମ୍ବାକୁ ଓଡି ୩୩ ଏ ଏମ୍ ୩୩୩୭ ନମ୍ବର ବିଶିଷ୍ଟ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ସିମୁଳିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥ ମାଟିଆପଡା ଛକ ନିକଟରେ ଗାଡି ଚାଳକର ନିଦ ଲାଗିଯିବାରୁ ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ଗଛକୁ ପିଟି ହୋଇ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଶୋଏବ ଅନସାରୀ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ସିମୁଳିଆ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଗୁରୁତର ହେବାରୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
