ପ୍ରବଳ ବର୍ଷା ପବନରେ ତୋରଣ ଭାଙ୍ଗି ବେତନଟୀ-ବଡ଼ସାହି ରାସ୍ତା ଅବରୋଧ, ଦୀର୍ଘ ସମୟ ଯାନବାହନ ଚଳାଚଳ ବନ୍ଦ।
ବେତନଟୀ : ରବିବାର ସନ୍ଧ୍ୟାରେ ହଠାତ ହୋଇଥିବା ପ୍ରବଳ ବର୍ଷା ଓ ପବନରେ ବେତନଟୀ-ବଡ଼ସାହି ମୁଖ୍ୟ ରାସ୍ତାରେ ଲାଗିଥିବା ଏକ ବଡ଼ ଦୁର୍ଗାପୂଜା ଲାଇଟ ତୋରଣ ଭାଙ୍ଗି ରାସ୍ତା ଉପରେ ପଡିଯାଇଛି। ଫଳରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇ ରହିଥିଲା। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ହଠାତ୍ ପବନ ସହ ବର୍ଷା ଆରମ୍ଭ ହୋଇଥିଲା। ବେତନଟୀ ଲେମ୍ପ ସମ୍ମୁଖ ରେ ଥିବା କାଙ୍କାକାଳିଆ ଦୁର୍ଗାପୂଜା କମିଟିର ପୂଜା ପାଇଁ ଲଗାଯାଇଥିବା ଡିଜାଇନ ଆଲୋକ ର ଏକ ବଡ଼ ତୋରଣ ପବନରେ ଭାଙ୍ଗି ରାସ୍ତା ପଡିଯାଇଥିଲା। ଗୋଟେ ଅଟୋ ସାମାନ୍ୟ ଭାଙ୍ଗିଯାଇଥିବାବେଳେ ସୌଭାଗ୍ୟବଶତଃ ସେତେବେଳେ ରାସ୍ତାରେ କେହି ନଥିବାରୁ ବଡ଼ ଅଘଟଣ ଟଳିଯାଇଛି।
ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା। ଖବର ପାଇ ବେତନଟୀ ପୋଲିସ ଏବଂ ବିଦ୍ୟୁତ ବିଭାଗ ର କର୍ମଚାରୀ ଙ୍କ ସହିତ ସ୍ଥାନୀୟ ଯୁବକମାନେ ପହଞ୍ଚି ତୋରଣକୁ କାଟି ରାସ୍ତାରୁ ହଟାଇଥିଲେ। ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।
