*ବନ୍ୟା ପ୍ରଭାବିତ ପାଳ ପାଟଣା ଗ୍ରାମର ଉପଯୁକ୍ତ ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି*
*ବଡ଼ସାହି (ଶୁଭାଶିଷ ଚୌଧୂରୀ):* ବଡ଼ସାହି ବ୍ଲକର ତଳ ଅଞ୍ଚଳ ମୁଖ୍ୟତଃ ଶାଳଗାଁ, ମାନଗୋବିନ୍ଦପୁର ପଞ୍ଚାୟତ ଅଧିକ ବନ୍ୟା ପ୍ରଭାବିତ ଅଞ୍ଚଳ। ଉକ୍ତ ପଞ୍ଚାୟତ ମଧ୍ୟ ଦେଇ ବୁଢାବଳଙ୍ଗ ଓ ଗଙ୍ଗାହାର ଉଭୟ ନଦୀ ପ୍ରବାହିତ। କୌଣସି ନଦୀରେ ବନ୍ୟା ହେଲେ ଏହି ପଞ୍ଚାୟତର ବିଭିନ୍ନ ଗ୍ରାମ ପ୍ରଭାବିତ ହୋଇଥାଏ।
ବିଶେଷ ଭାବେ ଶାଳଗାଁ ପଞ୍ଚାୟତର ପାଳପାଟଣା ଗ୍ରାମ ସାମାନ୍ୟ ବନ୍ୟାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଉକ୍ତ ଗ୍ରାମବାସୀଙ୍କ ସୁରକ୍ଷା ନିମନ୍ତେ ଏକ ବନ୍ୟା ଆଶ୍ରୟସ୍ଥଳୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ନିର୍ମାଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି।
ଏଥିପାଇଁ ପ୍ରଥମେ ସ୍ଥାନ ନିରୂପଣ ହୋଇଥିବା ବେଳେ ଏହାକୁ ସ୍ଥାନୀୟ ସ୍କୁଲ ପରିଚାଳନା କମିଟି ସମେତ ଗ୍ରାମବାସୀ ବିରୋଧ କରିବା ଦେଖାଯାଇଛି। ସମ୍ପୃକ୍ତ ପଞ୍ଚାୟତର ରାଜସ୍ୱ ନିରୀକ୍ଷକ ପ୍ରଥମେ ଗ୍ରାମବାସୀଙ୍କ ଉପସ୍ଥିତିରେ ଅଙ୍ଗନୱାଡି ଘର ନିକଟରେ ସ୍ଥାନ ନିରୂପଣ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ସ୍ଥାନକୁ ବାଦ୍ ଦେଇ ନିକଟସ୍ଥ ଗଙ୍ଗାହାର ନଦୀର କୂଳଠାରୁ ମାତ୍ର ୫୦ ଫୁଟ ଭିତରେ ଏକ ଚାଷ ଜମିରେ ସ୍ଥାନ ଚୟନ କରିଛନ୍ତି ଯାହାକି ବନ୍ୟା ଆସିବା ମାତ୍ରେ ଖୁବଶୀଘ୍ର ପାଣି ଉଠିଯାଏ।
ଗ୍ରାମବାସୀ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନାହିଁ। ପ୍ରଥମ ନିର୍ଦ୍ଧାରିତ ସ୍ଥାନ ଗ୍ରାମର ଅଙ୍ଗନୱାଡି ଘର ନିକଟସ୍ଥ ସ୍ଥାନକୁ ଉପଯୁକ୍ତ ଦର୍ଶାଇ ସେହିଠାରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବାକୁ ଗ୍ରାମବାସୀ ଦାବି ଉପସ୍ଥାପନ ପୂର୍ବକ ବଡ଼ସାହି ତହସିଲଦାରଙ୍କୁ ଲିଖିତ ଜଣାଇଛନ୍ତି। ଏଥିରେ ବ୍ୟତିକ୍ରମ ହେଲେ ଗଣ୍ଡଗୋଳର ଆଶଙ୍କା ରହିଥିବା ସମ୍ପର୍କରେ ମଧ୍ୟ ଚେତାବନୀ ଦେଇଥିବା ଜଣାଯାଇଛି।
ମୟୂରଭଞ୍ଜରୁ ଶୁଭାଶିଷ ଚୌଧୂରୀଙ୍କ ସହ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
