ଏକମାତ୍ର ପୁଅର ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ବିଧବା ଗରିବ ମାଆ
ସୋର: (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: କଥାରେ ଅଛି ଦୁଃଖ ଯେତେବେଳେ ଆସିବ ନିଜ ବନ୍ଧୁ ବର୍ଗଙ୍କୁ ସାଥିରେ ନେଇ ଆସିବ। ମେଡ଼ିକାଲ ବେଡ଼ରେ ପଡ଼ି ଛଟ ପଟ ହେଉଛି ପୁଅ, ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରୁଛି ବିଧବା ଗରିବ ମାଆ। ଏଭଳି ଦୁଃଖ ଘଟଣା ଦେଖିବାକୁ ମିଳିଛି ସୋର ବ୍ଲକରେ । ସୋର ବ୍ଲକ ମାଣିପୁର ପଞ୍ଚାୟତ କାନପୁର ଗ୍ରାମରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ଏବେ ସ୍ଥାନୀୟ ଲୋକମାନଙ୍କ ମନକୁ ଦୁଃଖିତ କରିଦେଇଛି। ମାଣିପୁର ପଞ୍ଚାୟତର କାନପୁର ଗ୍ରାମରେ ରହୁଥିବା ଲକ୍ଷ୍ମୀ ବେହେରାଙ୍କ ଜୀବନକୁ ଗୋଟିଏ ପରେ ଗୋଟିଏ ବିପଦ ମାଡି ଆସୁଛି। ଘରର ଏକମାତ୍ର ଆଶା ଥିବା ପୁଅ ଗୋପୀନାଥ ବେହେରା ଏବେ ମେଡ଼ିକାଲ ବେଡ଼ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଯେଉଁଠାରେ ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥର ଭାର ଲକ୍ଷ୍ମୀ ଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। କିଛି ମାସ ପୂର୍ବରୁ ଲକ୍ଷ୍ମୀ ଙ୍କ ସ୍ୱାମୀଙ୍କ ଦେହାନ୍ତ ଘଟିଥିଲା। ସେହି ଦୁଃଖରୁ ସେ ଏପର୍ଯ୍ୟନ୍ତ ଆର୍ଥିକ ସ୍ଵଛଳ ହୋଇପାରିନଥିବା ବେଳେ ଏବେ ପୁଅର ଏହି ଦୁର୍ଦ୍ଦଶା ତାଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ପରିବାରର ଆର୍ଥିକ ସ୍ଥିତି ପୂର୍ବରୁ ମଧ୍ୟ ସୁସ୍ଥ ନଥିଲା।ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଘରେ ଯାହା ସଂଚିତ ଅର୍ଥ ଥିଲା ସେସବୁ ଖର୍ଚ୍ଚ ହୋଇଯାଇଛି। ଏବେ ଘରେ ରହିଛନ୍ତି କେବଳ ଲକ୍ଷ୍ମୀ ଓ ତାଙ୍କ ଅସୁସ୍ଥ ପୁଅ। ଘଟଣା ଅନୁସାରେ, ଗୋପୀନାଥ ଘର ଛାତରୁ ଖସି ପଡ଼ିଥିବାରୁ ତାଙ୍କ ମେରୁଦଣ୍ଡରେ ଗୁରୁତର ଭାବେ ଆଘାତ ଲାଗିଛି। ଫଳରେ ସେ ଏବେ ଚାଲିବାକୁ ସମର୍ଥ ନୁହନ୍ତି ଏବଂ ସମ୍ପୂର୍ଣ୍ଣ ଭାବେ ବିଛଣାରେ ପଡି ରହିଛନ୍ତି।ଡାକ୍ତରମାନେ ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ଥିବା କହିଥିବା ବେଳେ, ଏହି ଅର୍ଥ ବ୍ୟବସ୍ଥା କରିବା ଲଷ୍ମୀଙ୍କ ପାଇଁ ପ୍ରାୟ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ପୁଅର ଯନ୍ତ୍ରଣା ଦେଖି ମାଆ ଆଖିରୁ ଲୁହ ଶୁଖୁନି ।ଏଥିପାଇଁ ଗ୍ରାମର କିଛି ଲୋକ ତାଙ୍କୁ ସହାୟତା କରୁଥିଲେ ମଧ୍ୟ ଏହା ତାଙ୍କ ପୁଅର ଚିକିତ୍ସା ପାଇଁ ପ୍ରୟାପ୍ତ ହେଉନାହିଁ ।ଏ ପରିସ୍ଥିତିରେ ଲକ୍ଷ୍ମୀ କିଛି ସାହାଯ୍ୟ କରିବା ପାଇଁ ଓଡିଶା ବାସୀଙ୍କୁ ଅନୁରୋଧ କରିଛନ୍ତି।ଗୋପୀନାଥଙ୍କ ଏମିତି ଶୋଚନୀୟ ଅବସ୍ଥା ଦେଖି ସହାୟତା ହାତ ବଢାଇବାପାଇଁ ଗ୍ରାମବାସୀ ମାନେ ଓଡିଶା ବାସୀଙ୍କୁ ଅନୁରୋଧ କରିଛନ୍ତି।
