ଓଡ଼ିଆ ପକ୍ଷ 2026 ଅବସରରେ “ଆସ ବହି ଟିଏ କିଣିବା” ଅଭିଯାନ ଅନୁଷ୍ଠିତ
ଦେବଗଡ଼: ଆଜିର ଡିଜିଟାଲ ଯୁଗରେ ଲୋକମାନେ ମୋବାଇଲ ମାଧ୍ୟମରେ ସହଜରେ ବିଭିନ୍ନ ବିଷୟବସ୍ତୁ ଶୁଣିବା ଓ ଦେଖିବାର ସୁବିଧା ପାଉଥିବାରୁ ପୁସ୍ତକ ପ୍ରତି ଆକର୍ଷଣ କ୍ରମେ କମିବାରେ ଲାଗିଛି। ବିଶେଷକରି ବଡ଼ମାନଙ୍କ ମଧ୍ୟରେ ବହି ପଢ଼ିବା ଅଭ୍ୟାସ ହ୍ରାସ ପାଇଛି। କିନ୍ତୁ ପୁସ୍ତକ ହେଉଛି ବିଦ୍ୟା ଓ ବୁଦ୍ଧିର ଅମୂଲ୍ୟ ଭଣ୍ଡାର, ଯାହାର ଗୁରୁତ୍ୱ କେବେ ମଧ୍ୟ କମି ଯିବା ଉଚିତ୍ ନୁହେଁ।
ଏହି ପରିପ୍ରେକ୍ଷିତରେ ଓଡ଼ିଆ ପକ୍ଷ 2026 ଅବସରରେ “ଆସ ବହି ଟିଏ କିଣିବା” ଅଭିଯାନ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦେବଗଡ଼ ଜିଲ୍ଲାର ଆନୁକୂଳ୍ୟରେ ସଫଳ ଭାବେ ସଂଗଠିତ କରାଯାଇଥିଲା।
ଏହି ଅବସରରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଅତିରିକ୍ତ ଜିଲ୍ଲାପାଳ ରେବକା ବିଲୁଂ, ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଏବଂ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ଜନସାମାଗମ ଦେଖାଯାଇଥିଲା।
ପୂର୍ବାହ୍ନ 10ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ପ୍ରାୟ 1200ଟି ପୁସ୍ତକ ବିକ୍ରି ହୋଇଥିଲା। ପୁରାଣ, ଜ୍ୟୋତିଷ ଶାସ୍ତ୍ର, ମହାପୁରୁଷମାନଙ୍କ ଜୀବନୀ, ବିଜ୍ଞାନ, ଐତିହାସିକ ଓ ଭୂଗୋଳିକ ବିଷୟ ସମ୍ପର୍କିତ ବିଭିନ୍ନ ପୁସ୍ତକ ଏଠାରେ ଉପଲବ୍ଧ ଥିଲା। ଜନସାଧାରଣ ଆଗ୍ରହ ସହ ପୁସ୍ତକଗୁଡ଼ିକ କ୍ରୟ କରିଥିବା ଦେଖାଯାଇଥିଲା।
ଦେବଗଡ଼ରୁ ସୁରେଶଙ୍କ ରିପୋର୍ଟ, ଭଞ୍ଜଦୂତ।
