ଉତ୍ତରେଶ୍ବର ଗଳାପୋଲ ସମ୍ପ୍ରସାରଣରେ ଅନିୟମିତତା
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋରର ଜୀବନ ରେଖା ତଥା ମୁଖଶାଳା କୁହାଯାଉଥିବା ଉତ୍ତରେଶ୍ଵର ଗଳାପୋଲ ସମ୍ପ୍ରସାରଣ ରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଙ୍କର ମନମାନୀ ସହିତ ରାଜନୈତିକ ଇଚ୍ଛା ଶକ୍ତିର ଘୋର ଅଭାବ ଲାଗି ସୋର ବାସୀ ଙ୍କର ପ୍ରମୁଖ ସମସ୍ୟା ଉତ୍ତରେଶ୍ଵର ଗଳାପୋଲ ସମ୍ପ୍ରସାରଣ ରେ କୌଣସି ତତ୍ପରତା ପ୍ରକାଶ ପାଉନଥିବାର ଲକ୍ଷ୍ୟ ହେଉଛି । ଏହି ଗଳାପୋଳ ସମ୍ପ୍ରସାରଣ ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୁପକ୍ଷଙ୍କ ନିକଟରେ ସୋର ବାସୀ ବାରମ୍ବାର ଦାବି କରି ଆସିବା ସହିତ ଅତୀତରେ ଆନ୍ଦୋଳନକୁ ଓହ୍ଲାଇ ରାଜ୍ୟସରକାର ଠାରୁ କେନ୍ଦ୍ର ସରକାର ଙ୍କ ପ୍ରତିନିଧିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେହେଁ ସେଥିପ୍ରତି ଉଦାସୀନତା ମନୋଭାବ ରହିବା ଯୋଗୁଁ ସୋରବାସୀ ମାନସିକ ସ୍ତରରେ ଏକପ୍ରକାର ଶକ୍ତ ଆଘାତ ପାଉଛନ୍ତି । ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ଠାରୁ ଫୁଲାଡି ପର୍ଯ୍ୟନ୍ତ ୬ ଥାକିଆ ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ଅବସ୍ଥାରେ ଆସି ପହଞ୍ଚି ଯାଇଛି। କିନ୍ତୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବା ଉତ୍ତରେଶ୍ଵର ଗଳାପୋଲ ର ସମ୍ପ୍ରସାରଣ ଲାଗି ୨୦୨୩ ମସିହାରୁ ବିଭାଗୀୟ ଅର୍ଥ ମଞ୍ଜୁର ହୋଇଥିବାବେଳେ ଉକ୍ତ ଅର୍ଥ ବିନିମୟରେ ଉକ୍ତ ଗଳାପୋଲ ନିର୍ମାଣ କରାନଯାଇ ଅନ୍ୟ ଠାରେ ଅର୍ଥ ବିନିଯୋଗ କରାଯାଇଥିବାର ନିର୍ଦିଷ୍ଟ ଭାବରେ ସୂଚନା ମିଳେ। ମାତ୍ର ଏହି ଉତ୍ତରେଶ୍ଵର ଗଳା ପୋଲକୁ ସମ୍ପ୍ରସାରଣ କରାନଯିବା ଦ୍ଵାରା ସୋର କୁ କୁତ୍ରିମ ବନ୍ୟାରୁ ରକ୍ଷା କରାଯିବା ଲାଗି ସୋର କଳେଜ ଛକ ଠାରୁ ପାଇକାଳୀ ପୋଲ ଯାଏଁ ଉଭୟ ପାର୍ଶ୍ଵରେ ସର୍ଭିସ ରୋଡ଼ ଓ ଡ୍ରେନ ନିର୍ମାଣ କରାଯାଉନାହିଁ । ଯାହାଦ୍ୱାରାକି ଚଳିତବର୍ଷ ବର୍ଷା ଋତୁ ଆଉ ମାତ୍ର କେଇ ଦିନ ରହିଥିଲାବେଳେ ଉଭୟ ପାର୍ଶ୍ୱରେ ଜଳ ନିଷ୍କାସନ ହୋଇ ନପାରି ବନ୍ୟା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ରବିବାର ଦିନ ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ ଏହି ୧୬ ନମ୍ବର ଜାତୀୟ ରାଜପଥର ମାର୍କୋଣା ଠାରେ ଗଳା ପୋଳ ସମ୍ପ୍ରସାରଣ ନିମନ୍ତେ ଶୁଭ ଦେଇଥିବା ବେଳେ ଉତ୍ତରେଶ୍ଵର ଗଳା ପୋଲର ସମ୍ପ୍ରସାରଣ କୁ ବାରମ୍ବାର ଦାବି ପରେ ବି ସାଂସଦ ଶୁଭ ଦେଲେ ନାହିଁ ତାହା ସୋର ବାସୀଙ୍କର ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପ୍ରତ୍ୟେକ ଦିନ ଏହି ଗଳାପୋଲ ଅତିକ୍ରମ କରି ବିଭିନ୍ନ ଅଫିସ ସ୍କୁଲ ଓ କଲେଜ ଯାଉଥିବା ତଥା ଆମ୍ବୁଲାନ୍ସ ଏବଂ ଦୂର ଦୂରାନ୍ତରକୁ ବିଭିନ୍ନ ଯାନରେ ଯାଉଥିବା ସାଧାରଣ ଲୋକଙ୍କୁ ସର୍ବଦା ଭିଡ଼ର ସମୁଖୀନ ହୋଇ ଦୀର୍ଘସମୟ ଅପେକ୍ଷା କରିବାକୁ ପଡ଼ିଥାଏ ।ମାତ୍ର ଏହି ଜାତୀୟ ରାଜପଥର ସମ୍ପ୍ରସାରଣ ଅନ୍ୟଠି ସମ୍ପୂର୍ଣ୍ଣ ଶେଷ ହୋଇ ସର୍ଭିସ୍ ରୋଡ଼, ଡ୍ରେନ ଓ ରାସ୍ତା ଉପରେ ଆଲୋକ ସଂଯୋଗ ଆଦି ଶେଷ ହୋଇଥିଲାବେଳେ ସୋରକୁ କିନ୍ତୁ ସମ୍ପୂର୍ଣ ମାତ୍ରାରେ ତାହା ଅବହେଳା କରାଯାଇଛି । ଯାହାର ଏକ ମାତ୍ର କାରଣ ହେଉଛି ରାଜନୈତିକ କର୍ତ୍ତୃପକ୍ଷଙ୍କର ଉଦାସୀନତା ମନୋଭାବ ଓ ରାଜପଥ କର୍ତ୍ତୃପକ୍ଷ ଙ୍କର ମନମାନୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସାଂସଦ, ବିଧାୟକ ଓ ଜିଲ୍ଲା ପ୍ରଶାସନ ସୋର ବାସୀଙ୍କର ଏହି ପ୍ରମୁଖ ସମସ୍ୟା ଉକ୍ତ ଗଳାପୋଲକୁ ସମ୍ପ୍ରସାରଣ କରିବା ଲାଗି ତୁରନ୍ତ ପଦକ୍ଷେପ ନେବା ଲାଗି ବିଭିନ୍ନ ମହଲରୁ ଦାବି ହେଉଛି ।
