ପାନୀୟ ଜଳ ପାଇଁ ହନ୍ତସନ୍ତ
ତା-୨୭/୦୩/୨୬
ଦଶରଥପୁର
ରିପୋର୍ଟର-ମାନସ କୁମାର ସାହୁ
ଆଗକୁ ଗ୍ରୀଷ୍ମ ପ୍ରବାହ ଆସୁଥିବା ବେଳେ ଦଶରଥପୁର ବ୍ଲକ ରେ ପାନୀୟ ଜଳ କୁ ନେଇ ସମସ୍ୟାମାନ ଦେଖିବାକୁ ମିଳିଛି. ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି. ଦଶରଥପୁର ବ୍ଲକ ୩୫ଟି ପଞ୍ଚାୟତରେ ଏବେ ମାଟି ତଳୁ ପାଣିର ଧାର କମି କମି ଯାଉଥିବାରୁ ଅଧିକାଂଶ ନଳକୂପ ଅଚ଼ଳ ହୋଇଯାଉଛି. ବିଭିନ୍ନ ପଞ୍ଚାୟତରେ ଏବେ ବହୁ ପୁରୁଣା ନଳକୂପ ଗୁଡ଼ିକ ପୂର୍ବରୁ ବସିଥିବା ବେଳେ ଏବେ ସେଥିରୁ ପାଣି ବାହାରୁ ନାହିଁ. ସାଧାରଣ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ବାସ୍ତବ ରେ ଯୋଜନା ସଠିକ୍ ରୂପାୟନ ହୋଇପାରୁ ନାହିଁ . ସରକାର ଅଚ଼ଳ ପ୍ରକଳ୍ପ କୁ ସଚ଼ଳ କରିବା ଏବଂ ଆବଶ୍ୟକ ସ୍ଥଳେ ନୂତନ ନଳକୂପ ଖନନ ପାଇଁ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି. ମାତ୍ର ବାସ୍ତବ ଚିତ୍ର କିଛି ଅଲଗା. ଦଶରଥପୁର ବ୍ଲକ ଅଞ୍ଚଳରେ ଶତାଧିକ ନଳକୂପ ଅଚ଼ଳ ହୋଇ ପଡ଼ିଛି. ହେଲେ ମରାମତି ନାମରେ ପଞ୍ଚାୟତ ରୁ ବ୍ଲକ୍ ଯାଏଁ ଏହି ନଳକୂପ ଗୁଡିକ ନିମନ୍ତେ ପ୍ରତିବର୍ଷ ୫୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରାଯାଉଥିବା ସୂଚ଼ନା ମିଳୁଛି. କେଉଁଠି କାଁ ଭାଁ ମରାମତି କରାଯାଇ ଜାଲ୍ କାଗଜପତ୍ର ରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଥିବା ଅଭିଯୋଗ ହେଉଛି. କୌଣସି ଅଞ୍ଚଳରେ ଯଦି ନଳକୂପ ଅଚ଼ଳ ହୋଇଯାଉଛି ଫୋନ୍ ମାଧ୍ୟମରେ ବିଭାଗକୁ ଯୋଗାଯୋଗ କରିଲେ ମଧ୍ୟ ସଠିକ ସମୟ ମଧ୍ୟରେ ତାହା ମରାମତି କରାଯାଉ ନାହିଁ. ଏହି କ୍ରମରେ ବିରିପଟା ପଞ୍ଚାୟତ ର ବରେଇଁ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି. ପାନୀୟ ଜଳ ପାଇଁ ବ୍ୟବହାର କରାଯାଉଥିବା ନଳକୂପଟି ଦୀର୍ଘ ଦିନ ଧରି ଅଚ଼ଳ ହୋଇ ପଡ଼ିଥିଲେ ମଧ୍ୟ ତାହାକୁ ସଚ଼ଳ କରାଯାଉ ନାହିଁ. ସ୍ୱଜଳ ଧାରା ପ୍ରକଳ୍ପ ଥିଲେ ମଧ୍ୟ ବେଳେ ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିବା ଯୋଗୁଁ ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି. ମାତ୍ର ନଳକୂପ ଅଚ଼ଳ ହେବା ଯୋଗୁଁ ଜନସାଧାରଣ ନାନା ହନ୍ତସନ୍ତ ହେଉଛନ୍ତି. ଗ୍ରାମରେ ଥିବା ସ୍ୱଜଳଧାରା ପ୍ରକଳ୍ପ ର ଜରାଜୀର୍ଣ୍ଣ ଅବସ୍ଥା ହୋଇପଡ଼ିଛି. ପ୍ରକଳ୍ପ ଚାରିକଡ଼ରେ ଖଜୁରୀକଣ୍ଟା ଗଛ ସହ ଅନାବନା ଗଛ ମାଡ଼ିଯିବାରୁ ପ୍ରକଳ୍ପ ଟି ଲୁଚ଼ିଗଲାଣି. ପରିତାପର ବିଷୟ ବିରିପଟା ପଞ୍ଚାୟତ ରେ ସମସ୍ତ ରାଜସ୍ଵ ଗ୍ରାମ ରେ ନୂତନ ନଳକୂପ ଖନନ କରାଯାଇଥିବା ବେଳେ ଜନ ପ୍ରତିନିଧିଙ୍କ ବୈମାତୃକ ମନୋଭାବ ଯୋଗୁଁ ବରେଇଁ ରାଜସ୍ଵ ଗ୍ରାମରେ ନଳକୂପ ଆବଶ୍ୟକ ଥିଲେ ମଧ୍ୟ ନଳକୂପ ବାସାଇବା ର ବ୍ୟବସ୍ଥା କରାଗଲା ନାହିଁ. ଜଳ ପ୍ରକଳ୍ପ ର ବିଛା ଯାଇଥିବା ପାଇପ୍ ସ୍ଥାନେ ସ୍ଥାନେ ଫାଟି ଜଳ ନଷ୍ଟ ହେଉଥିବା ବେଳେ ଏହାକୁ ଧ୍ୟାନ ମଧ୍ୟ ଦିଆ ଯାଉ ନାହିଁ. ଗ୍ରାମ ରେ ପାଣି ଷ୍ଟାଣ୍ଡ ଭାଙ୍ଗି ପଡ଼ିଥିବା ବେଳେ ତାକୁ ମରାମତି କିମ୍ବା ନିର୍ମାଣ କରାଯାଉ ନାହିଁ. ପାନୀୟ ଜଳ ପ୍ରକଳ୍ପ ବର୍ଷ କୁ ବର୍ଷ କ୍ଲୋରିନାଇଜେସନ ହେଉ ନ ଥିବାରୁ ପାନୀୟ ଜଳ ର ରଙ୍ଗ ହଳଦୀ ସହ ଗୁଣ୍ଡ ବାହୁରିଥିବା ଦେଖିବାକୁ ମିଳିଛି. ପଡ଼ୋଶୀ ପଞ୍ଚାୟତ ରେ ଦୂଷିତ ଜଳ ଯୋଗୁଁ କାମଳ, କ୍ୟାନ୍ସର, କିଡ଼ନୀ ଜନିତ ରୋଗ ଦ୍ୱାରା ଜନସାଧାରଣ ମୃତ୍ୟୁବରଣ କରିଥିବା ଖବର ଚର୍ଚ୍ଚା ଜୋର ହୋଇଥିଲା. ବରେଇଁ ଗ୍ରାମ ରେ ସୃଷ୍ଟି ହୋଇଥିବା ପାନୀୟ ଜଳ ର ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ଧ୍ୟାନ ଦିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି.
