ପତିଆଲପଡ଼ା ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ,
ହିନ୍ଦୀ ଭାଷାର ମହତ୍ତ୍ୱ ଉପରେ ଗୁରୁତ୍ୱ, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ
ସିନାପାଲି,୧୭/୧୦(ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମ ପଞ୍ଚାୟତର ପତିଆଲପଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ-୨୦୨୬ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।
ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଗିରିଧାରୀ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଏବିଇଓ ସତ୍ୟବ୍ରତ ଗହିର ମୁଖ୍ୟ ଅତିଥି ଏବଂ ହିନ୍ଦୀ ଶିକ୍ଷକ ଦେବରାଜ ଭୋଇ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଶିକ୍ଷକ ସଞ୍ଜୁ ନିଆଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପ୍ରାରମ୍ଭରେ ପ୍ରମୁଖ ହିନ୍ଦୀ ସାହିତ୍ୟିକ ଓ କବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ହିନ୍ଦୀ ଭାଷାର ମହତ୍ତ୍ୱ, ଜାତୀୟ ଏକତା, ସଂହତି ଓ ସଂସ୍କୃତିର ସୁରକ୍ଷା ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେପ୍ଟେମ୍ବର ୧୪ ତାରିଖ ହିନ୍ଦୀ ଦିବସ ଅବସରରେ ଆୟୋଜିତ ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ସଙ୍ଗୀତ, ବକ୍ତୃତା, ଦୋହା ଆବୃତ୍ତି ଓ ହିନ୍ଦୀ ହସ୍ତାକ୍ଷର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଉପଯୋଗୀ ପୁସ୍ତକ ପ୍ରଦାନ କରାଯାଇଥିଲା। ସେହିପରି ୨୦୨୬ ମାଟ୍ରିକ ପରୀକ୍ଷାରେ ହିନ୍ଦୀ ବିଷୟରେ ୯୦ ପ୍ରତିଶତ କିମ୍ବା ତଦୂର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଉତ୍କର୍ଷତା ପ୍ରମାଣପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ବକ୍ତା ଶ୍ରୀ ଭୋଇ ହିନ୍ଦୀ ଦିବସର ଐତିହାସିକ ଗୁରୁତ୍ୱ ବିଷୟରେ ଆଲୋକପାତ କରିବା ସହ ପଢ଼ିବା, ଲେଖିବା ଓ କଥୋପକଥନ ମାଧ୍ୟମରେ ଭାଷାର ବିକାଶ ସମ୍ଭବ ବୋଲି କହିଥିଲେ। ମୁଖ୍ୟ ଅତିଥି ଶ୍ରୀ ଗହିର ବିଦ୍ୟାଳୟର ଏହି ପ୍ରୟାସକୁ ପ୍ରଶଂସା କରିବା ସହ ସମସ୍ତ ବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱ ଦେଇଥିଲେ। ଶେଷରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ଓ ଶାନ୍ତିମନ୍ତ୍ର ଉଚ୍ଚାରଣ ସହ ସଭା ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।
