*ଲକ୍ଷ୍ମୀପୂଜା ପ୍ରସ୍ତୁତି ସମୀକ୍ଷା ବୈଠକ: ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ମୌଳିକ ସୁବିଧା ଉପରେ ଗୁରୁତ୍ୱ*
ଢେଙ୍କାନାଳ, (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )୧୬.୧୦.୨୦୨୬:
ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶୃଙ୍ଖଳା, ସୁରକ୍ଷା ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି ପୂର୍ବାହ୍ନ ୧୧ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ପୂଜା ଅବସରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ସହ ବିଦ୍ୟୁତ୍ ଲାଇନ୍ର ରକ୍ଷଣାବେକ୍ଷଣ ଓ ରାସ୍ତାକୁ ଅବରୋଧ କରୁଥିବା ଗଛର ଡାଳ କାଟିବା କାର୍ଯ୍ୟ ଆସନ୍ତା କିଛି ଦିନ ମଧ୍ୟରେ ଶେଷ କରିବାକୁ ଟିପିସିଓଡିଏଲ୍ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ସେହିପରି, ରାସ୍ତା ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ପଲ୍ଲିଶ୍ରୀ ମେଳା ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମରାମତି ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଆର ଆଣ୍ଡ ବି ବିଭାଗକୁ କହିଥିଲେ। ପୌରାଞ୍ଚଳର ବିଭିନ୍ନ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା ଓ ଡ୍ରେନ୍ ଉପରେ ସ୍ଲାବ୍ ପକାଇବା କାର୍ଯ୍ୟ ସୁନିଶ୍ଚିତ କରିବାକୁ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ପୂଜା ସମୟରେ ଢେଙ୍କାନାଳକୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବା ନିମନ୍ତେ କୋରିଆଁ ବାଇପାସ୍ ଓ କଲେଜ ବାଇପାସ୍ଠାରେ ଦୁଇଟି ସ୍ୱାଗତ ତୋରଣ ନିର୍ମାଣ କରିବାକୁ ପୌରପାଳିକା ପକ୍ଷରୁ ବ୍ୟବସ୍ଥା କରାଯିବ।
ଅଗ୍ନିକାଣ୍ଡ ଭଳି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ପ୍ରତ୍ୟେକ ପୂଜା ମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ସହ ଏହାର ବ୍ୟବହାର ସମ୍ପର୍କରେ ଅଗ୍ନିଶମ ବିଭାଗ ପକ୍ଷରୁ ମଣ୍ଡପ କର୍ମକର୍ତ୍ତାଙ୍କୁ ଆସନ୍ତା କିଛି ଦିନ ମଧ୍ୟରେ ପ୍ରଶିକ୍ଷଣ ଦିଆଯିବ। ଯାତାୟାତକୁ ସୁଗମ କରିବା ନିମନ୍ତେ ଆରଟିଓ ଓ ଡିଆଇପିଆରଓ ପକ୍ଷରୁ ଗଣମାଧ୍ୟମ ଜରିଆରେ ନିୟମିତ ଟ୍ରାଫିକ୍ ସୂଚନା ଓ ବିକଳ୍ପ ଯାତାୟାତ ମାର୍ଗ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ।
ପୂଜା ଅବସରରେ ଦୋଳି ଓ ଅନ୍ୟାନ୍ୟ ମନୋରଞ୍ଜନ ଉପକରଣର ସୁରକ୍ଷା ମାନଦଣ୍ଡ ପାଳନ କ୍ଷେତ୍ରରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ଏଥିପାଇଁ ଧାର୍ଯ୍ୟ ନିୟମାବଳୀ ପାଳନ ସୁନିଶ୍ଚିତ କରିବାକୁ ଆର୍ ଆଣ୍ଡ ବି ବିଭାଗକୁ କୁହାଯାଇଥିଲା। ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥା ବିରୋଧରେ ମୋଟା ଅଙ୍କର ଜରିମାନା ଆଦାୟ କିମ୍ବା ଦୋଳି ଜବତ କରିବା ଭଳି କଠୋର ପଦକ୍ଷେପ ନିଆଯିବ।
ଏଥିସହ ରାସ୍ତାରେ ବୁଲୁଥିବା ଗୋରୁଙ୍କୁ ନିକଟସ୍ଥ ଗୋଶାଳାକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟ ଜିଲ୍ଲା ପ୍ରାଣିଚିକିତ୍ସା ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା।
ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତିରଞ୍ଜନ ସେଠୀ, ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ, ଡିଆଇବି ଅତିରିକ୍ତ ଏସପି ଶ୍ରୀ ନିରଞ୍ଜନ ପାଢ଼ୀ, ମିଳିତ ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ଶ୍ରୀ ରାମଚନ୍ଦ୍ର ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
