ରାତିଅଧିଆ ଚାଲିଛି ୧୪ କୋଟି ର ରାସ୍ତା କାମ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ୧୪ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହେଉଥିବା ଅନନ୍ତପୁର-ସୋର-କୁପାରୀ ରାସ୍ତା କାମକୁ ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିବାରେ ନାଁ ଧରୁନି। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଫଳରେ ନିମ୍ନମାନର ରାସ୍ତା କାମ ହେଉଥିବା ବେଳେ ଏହାର ସ୍ଥାୟିତ୍ବକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।
ପୂର୍ବରୁ ବାରମ୍ବାର ଏହି ରାସ୍ତକାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇ ଆସିଛି| ନବନିର୍ମିତ ରାସ୍ତାରୁ ପିଚୁ ଉଠିବା, ୩ ଇଞ୍ଚ ବଦଳରେ ୨ ଇଞ୍ଚର ପିଚୁ ପଡ଼ିବା, କାର୍ଯ୍ୟକ୍ଷେତ୍ରରେ କୌଣସି ଅଧିକାରୀ ନରହିବାକୁ ବିରୋଧ କରି ସ୍ଥାନୀୟ ଲୋକେ ତାତିବା ସହିତ ରାସ୍ତାକାମ ବନ୍ଦ କରିଥିଲେ ଓ ଯନ୍ତ୍ରୀଙ୍କୁ ଘେରିଥିଲେ। ମାତ୍ର ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଗତକାଲି ବିଳମ୍ବିତ ରାତିରେ ସୋର ଡାକ୍ତରଖାନା ଛକ ନିକଟରୁ କୋର୍ଟ ଛକ ପର୍ଯ୍ୟନ୍ତ ପିଚୁ କାମ କରାଯାଉଥିଲା। ଏଥିରେ ମହିଳା ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥିଲା। ତେବେ କାମ ହେଉଥିବା ସ୍ଥାନରେ କୌଣସି ଅଧିକାରୀ ନଥିବା ବେଳେ ଠିକାଦର ମନମୁଖୀ କାମ କରୁଥିବା ଦେଖିବାକୁ ମିଳିଥିଲା। ସେଠାରେ ଉପସ୍ଥିତ ଶ୍ରମିକଙ୍କୁ ପଚାରିବାରୁ କୌଣସି ଅଧିକାରୀ ସେଠାରେ ଉପସ୍ଥିତ ନଥିବା ସେମାନେ କହିଥିଲେ । ଏ ବାବଦରେ ଜେଇ ଜିତେନ୍ଦ୍ର କୁମାର ମହାଳିକଙ୍କୁ ପଚାରିବାରୁ ସେ ଚହିଁକି ଉଠିବା ସହିତ ରାତିରେ କାମ ହେଲେ କୌଣସି ଅସୁବିଧା ନାହିଁ। ମୁଁ ସେଠାରେ ଉପସ୍ଥିତ ଥିଲି ମୋତେ ଲୋକେ ଦେଖିପାରିନଥିବା ବୋଲି ସଫେଇ ଦେଇଛନ୍ତି।
