ମାଇକ୍ରୋଫାଇନାନ୍ସ ଋଣ କିସ୍ତି ଦେଉଛି ଶାସ୍ତି
ଦଶରଥପୁର
ତା-୧୫/୦୩/୨୬
Reporter -Manas Kumar sahoo
ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅଞ୍ଚଳରେ ଘରୋଇ ମାଇକ୍ରୋଫାଇନାନ୍ସ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡ଼ିକର ଋଣ ବୋଝରେ ଅନେକ ଲୋକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି. ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟମାନେ ଗାଁ ରୁ ଗାଁ ବୁଲି ମହିଳା ଏସ୍ ଏଚ ଜି ଗଠନ କରି ଋଣ ଦେଉଛନ୍ତି. ସରଳ ନିରୀହ ମହିଳାମାନେ କିଛି ନ ବୁଝି ସହଜରେ ଋଣ ମିଳୁଥିବାରୁ ଖୁସିରେ ଟଙ୍କା ଉଠାଇ ନେଇ ସେହି ଟଙ୍କା କୁ ଘରୋଇ କାର୍ଯ୍ୟରେ ଖର୍ଚ୍ଚ କରି ଦେଉଛନ୍ତି. ଉଚ୍ଚ ସୁଧ ହାର ଯୋଗୁଁ ପରବର୍ତ୍ତୀ ସମୟରେ ମହିଳାମାନେ ଋଣ ପରିଶୋଧ କରି ନପାରି ହଇରାଣ ହରକତ ହେଉଛନ୍ତି. ପରିଶୋଧ ପାଇଁ କମ୍ପାନୀ ଗୁଡ଼ିକ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଏଜେଣ୍ଟମାନେ ଘର ଦୁଆରେ ବସି ରହୁଛନ୍ତି ଓ ଋଣୀଙ୍କୁ ନାନା କଥା କହି ଅପମାନିତ କରୁଛନ୍ତି. କିଛି ଲୋକ ଋଣ ପରିଶୋଧ ପାଇଁ ପୁଣି ଋଣ କରୁଥିବା ଜଣାଯାଉଛି. ଆଉ କିଛି ଋଣ ପରିଶୋଧ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି. ପୁଣି କେହି କେହି ଘରର ସୁନା, ଜମି ସବୁ ଦେଇ ଋଣମୁକ୍ତ ହେଉଛନ୍ତି କେହି କେହି ଆତ୍ମହତ୍ୟା କରୁଥିବା ଖବର ମିଳୁଛି. ସଂସ୍ଥାର ଏଜେଣ୍ଟମାନେ ବିଭିନ୍ନ ପ୍ରକାର ମାଧ୍ୟମରେ ପ୍ରରୋଚିତ କରି ଗୋଷ୍ଠୀଋଣ ପ୍ରଦାନ କରୁଛନ୍ତି. ପରେ ଅସୁଲି ସମୟରେ ଏମାନେ ଏମିତି ସୁଧ ନେଉଛନ୍ତି ଯେ ଏହାର ସୁଧ ହାରରେ ଗରିବ ପରିବାରଗୁଡିକ ସର୍ବସ୍ବାନ୍ତ ହୋଇଯାଉଛନ୍ତି. କେବଳ ଆଧାର କାର୍ଡ ଓ ବ୍ୟାଙ୍କ୍ ପାସ୍ ବୁକ୍ ଯଥେଷ୍ଟ କହି ଏଜେଣ୍ଟମାନେ ଋଣ ଗ୍ରହିତାଙ୍କୁ ପ୍ରଲୋଭିତ କରୁଛନ୍ତି. ବ୍ୟାଙ୍କ୍ କୁ ଯାଇ ହଇରାଣ ହେବା ଅପେକ୍ଷା ଦୁଆର ମୁହଁରେ ଟଙ୍କା ମିଳୁଥିବାରୁ ସେମାନେ ମଧ୍ୟ ସୁବିଧାଜନକ ବୋଲି ଭାବୁଛନ୍ତି. ମାତ୍ର ପରବର୍ତ୍ତୀ ସମୟରେ ଏହି ଏଜେଣ୍ଟମାନେ ସପ୍ତାହ ଓ ପାକ୍ଷିକ ହିସାବରେ ମୂଳସୁଧ ଅସୁଲ କରୁଛନ୍ତି. ଯେଉଁମାନେ ସାମାନ୍ୟ ସମୟ ଖିଲାପ କଲେ ମଧ୍ୟ ସେମାନଙ୍କ ଘର ମୁହଁରେ ଜଗି ବସୁଛନ୍ତି. ମାତ୍ର ଏହି ଲଗାଣକାରୀ ସଂସ୍ଥାର ଏଜେଣ୍ଟମାନେ କୌଣସି କଥାକୁ ବିଚ଼ାର ନକରି ମହିଳାମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି. ଏଭଳି ସଂସ୍ଥାର କାର୍ଯ୍ୟକଳାପରେ ରୋକ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି. ଏଥିପାଇଁ ଜିଲ୍ଲା ପ୍ରଶାସନ ଏ ଦିଗରେ ସଚେତନ ହେବା ଆବଶ୍ୟକ.
