ଅଢେଇକୁଳ ଗ୍ରାମ ବାସୀଙ୍କ ବାଦିପାଲା ଶେଷ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଅଢେଇକୁଳ ଗ୍ରାମ ବାସୀଙ୍କ ପ୍ରସିଦ୍ଧ ବାଦିପାଲା ଚତୁର୍ଥ ଦିନରେ ଶେଷ ହୋଇଛି। ଗ୍ରାମ ଠାକୁରାଣୀ ମା ରାମଚଣ୍ଡି ଙ୍କ ପବିତ୍ର ପିଠସ୍ଥଳୀ ରେ କେଉଁ ଆଦିମ କାଳରୁ ଏହି ବାଦିପାଲା ମଞ୍ଚ ଆଜିବି ବଞ୍ଚି ରହିଛି। ଗାଁ ଭିତରେ ଯେତେ ବାଦ, ବିବାଦ ଲାଗିଥିଲେ ବି ଦୋଳ ପର୍ବ ପରେ ପ୍ରତିବର୍ଷ ସମସ୍ତେ ଏକାଠି ହୋଇ ଏହି ବାଦିପାଲା କାର୍ଯ୍ୟକ୍ରମକୁ ବେଶ ସୁରଖୁରରେ ସମାପନ କରିଥାନ୍ତି । ସମ୍ପୁର୍ଣ୍ଣ ବାଲି ପଡିଆ ରେ ଓ ଡେକୋରେସନ, ଲାଇଟ୍ ନଥାଇ ବି ବାଦିପାଲା ଏଠାରେ ଆରମ୍ଭ ହୋଇ ଆଜି ବି ତାର ମର୍ଯ୍ୟାଦା ବଞ୍ଚାଇ ରଖିପାରିଛି। ଏହି ଅନୁଷ୍ଠାନ ଆଜି ବହୁ ଆଗକୁ ଯାଇ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛି, ହେଲେ ଭାଇଚାରା ବି ଏ ଗ୍ରାମ ବାସୀ ଆଜି ପର୍ଯ୍ୟନ୍ତ ବଜାଇ ରଖିପାରିଛନ୍ତି । ବର୍ତ୍ତମାନ ସମାଜ ଆସି କେଉଁ ସ୍ଥାନରେ ପହଁଚି ବ୍ରେକ ଡ୍ୟାନ୍ସ, ମେଲୋଡି ଓ ନିତ୍ୟାନ୍ତ ଅଶ୍ଳୀଳ ଗୀତ ଶୁଣିବାକୁ ଭିଡ ଲାଗିରହିଥିବା ବେଳେ ଚାରି ଦିନ ବ୍ୟାପି ଏହି ବାଦିପାଲା ରେ ଦର୍ଶକ ସଂଖ୍ୟା ବି କୌଣସି ଗୁଣରେ କମ ଥିବାର ଦେଖାଯାଉ ନଥିଲା। ବୁଢ଼ା, ବୁଢୀ ଙ୍କ ଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣିର ଝିଅ, ବୋହୂ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ବି ବସି ବାଦିପାଲା ଦେଖି ପାଲାଗାୟକ ମାନଙ୍କୁ ବେଶ୍ ଉତ୍ସାହିତ କରୁଥିଲେ। ଚଳିତ ବର୍ଷ ଦୁଇ ଗୋଟି ନାମିଦାମୀ ପାଲାଗାୟକ ଦର୍ଶକମାନଙ୍କ ଭିଡ ଦେଖି ବି ହତବାକ୍ ହୋଇ ପଡୁଥିଲେ। ଏହି ଦୁଇ ପାଲା ଗାୟକ ଙ୍କ ମଧ୍ୟରୁ ବାଲେଶ୍ଵର ଜିଲାରୁ ବ୍ୟାସ ପୁତ୍ର ଉପାଧି ପାଇଥିବା ଯୁବ ଗାୟକ ଚନ୍ଦ୍ର ଶେଖର ପାଢୀ ତାଙ୍କ ଟିମ୍ ଧରି ବେଶ ଚମକ ଦେଖାଉଥିବା ବେଳେ କଟକ ଜିଲା ରୁ ଆସିଥିବା ଗାୟକ ବିଶାରଦ ସଚିଦା ନନ୍ଦ ଦାସ ବି କମ ଗୁଣରେ ଛାଡ଼ି ନଥିଲେ। ଏହି ବାଦିପାଲା ଦେଖିବା ପାଇଁ ସାଦେଇପୁର, କୋଟକଣା, ନୂଆପଲେଇ, ବଡକୋରକୋର, ସାନକୋରକୋର, ଖରଦାସାହି, ପଣ୍ଡାଛକ, ତଅଁରା, ରେଢୁଆ ଓ ଗୁଆଳିପୁର ଆଦି ଅଞ୍ଚଳରୁ ବହୁ ଦର୍ଶକ ଉପସ୍ଥିତ ରହି ପରିବେଶକୁ ବେଶ୍ ମୁଖରିତ କରି ପାରିଥିଲେ। ଏହି ଗ୍ରାମର ସବୁ ଯୁବ , ବୃଦ୍ଧ ଗୋଷ୍ଠୀ ମାନଙ୍କୁ ଏକତ୍ର କରି ଓ ସମସ୍ତ ଶାନ୍ତି ଶୃଙ୍ଖଳା ରକ୍ଷା କରି ଏହି ଅନୁଷ୍ଠାନକୁ ଆଜି ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଥିବା ଏବଂ ଘଟଣା ର ମୂଖ୍ୟ ନାୟକ ତଥା ପରିଚାଳକ ଥିବା ଅଶୋକ କୁମାର ବେହେରା ପରଦା ପଛରେ ରହି ବି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଚାରି ଦିନ ବ୍ୟାପି ଏହି ବାଦିପାଲା ରେ ମୁଖ୍ୟ କାର୍ଯ୍ୟ ନିର୍ବାହ କରିଥିବା ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରୁ ରବିନ୍ଦ୍ର ବାରିକ, ଅଜିତ ସାହୁ,ବିରଞ୍ଚି ମହାନ୍ତି, ଶକ୍ତି ପଣ୍ଡା, ତପନ ବାରିକ, ଶିବ ପ୍ରସାଦ ଦାସ, ସମୀର ବାରିକ, ସୁବାସ ବିହାରି, ପ୍ରଭାକର ରାଉତ, ରଘୁନାଥ ବାରିକ ଓ ଦିଲୀପ ପଣ୍ଡା ପ୍ରମୁଖ ଥିବା ବେଳେ, ଅଢେଇକୁଳ ସରପଞ୍ଚ ରିନା ସ୍ଵାଇଁ ଓ ସମିତି ସଭ୍ୟା ମିତାଞ୍ଜଳୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
