ରୋଗୀଙ୍କ ମୃତ୍ୟୁକୁ ନେଇ ଡାକ୍ତର ଓ ସଂପର୍କୀୟଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ହାତାହାତି, ଉଭୟ ଙ୍କ ପକ୍ଷରୁ ଥାନାରେ ଅଭିଯୋଗ
ସୋର,୧୭/୨(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ଡାକ୍ତରଖାନାରେ ପରିସରରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ସୁଚନା ଅନୁସାରେ ସୋର ଥାନା ଆଙ୍ଗୁଳା ଗ୍ରାମର ମକରା ଦାସଙ୍କ ଘରକୁ ତାଙ୍କ ଶଶ୍ୱୁର ଆସିଥିବା ବେଳେ ଅପରାହ୍ଣରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ଜ୍ୱାଇଁ ମକରା ଓ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ କାର୍ଯ୍ୟରତ ଡାକ୍ତର ସୁମନ୍ତ ଧଡା ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ପରିବାର ଲୋକେ ଡାକ୍ତର ବିଳମ୍ବରେ ରୋଗୀ ଦେଖିବାକୁ ଆସିଥିବା କହି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେଠାରେ ଥିବା ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ଭିଡିଓ ଉତ୍ତୋଳନ କରିବା ସହିତ ଡାକ୍ତରଙ୍କୁ ଘେରିଥିଲେ। ଫଳରେ ଡାକ୍ତରଖାନା ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
