ବଜାରରେ ଗୁଟଖା କଳାବଜାରୀ
ନିଷେଧାଦେଶକୁ ବେଖାତିର,
ଚଢ଼ା ଦରରେ ବିକ୍ରି ଚାଲିଛି ଗୁଟଖା
କାମାକ୍ଷାନଗର –
ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ବଜାର ଓ ଏହାର ଆଖପାଖ ଅଞ୍ଚଳରେ ଏବେ ଗୁଟଖାର କଳାବଜାରୀ ଚରମ ସୀମାରେ ପହଞ୍ଚିଛି। ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି କେତେକ ଅସାଧୁ ବ୍ୟବସାୟୀ ଗୁଟଖା ଗଚ୍ଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଥିବା ବେଳେ, ଚଢ଼ା ଦରରେ ଏହାକୁ ବିକ୍ରି କରି ମାଲାମାଲ ହେଉଛନ୍ତି। ବଜାରରେ ୫ ଟଙ୍କାର ଗୁଟଖା ପ୍ୟାକେଟକୁ ୭ ରୁ ୧୦ ଟଙ୍କାରେ ବିକ୍ରି କରାଯାଉଛି। ହୋଲସେଲ ମୂଲ୍ୟରେ ମଧ୍ୟ ବ୍ୟାପକ ଅନିୟମିତତା ଦେଖାଦେଇଛି। ରାଜ୍ୟରେ ଗୁଟଖା ବାରଣ ଥିଲେ ହେଁ, ଅନ୍ୟ ରାଜ୍ୟରୁ ଚୋରା ଚାଲାଣ ହୋଇ ଗୁପ୍ତ ସ୍ଥାନରେ ଏହା ମହଜୁଦ ରଖାଯାଉଛି। ଗାଁ ଗହଳି ଗଳିକନ୍ଦିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି କ୍ୟାବିନ ପର୍ଯ୍ୟନ୍ତ ସବୁଠି ଏହା ବେଆଇନ ଭାବେ ଉପଲବ୍ଧ ହେଉଛି।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତର ଏହି ଗୁଟଖା ସେବନ ଯୋଗୁଁ ଅଞ୍ଚଳରେ ମୁଖ କ୍ୟାନ୍ସର ଭଳି ଭୟଙ୍କର ରୋଗ ବଢ଼ିବାରେ ଲାଗିଛି। ବିଶେଷ କରି ଯୁବପିଢ଼ୀ ଏହାର ପ୍ରଧାନ ଶିକାର ହେଉଛନ୍ତି। ଏଥିସହିତ ଅସାଧୁ ବ୍ୟବସାୟୀମାନେ ଅଧିକ ମୁନାଫା ଆଶାରେ ନକଲି ଓ ନିମ୍ନମାନର ଗୁଟଖା ମଧ୍ୟ ବଜାରକୁ ଛାଡୁଛନ୍ତି l ଯାହା ଜନସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ଧରଣର ବିପଦ ସୃଷ୍ଟି କରିଛି। ଏହି ବେଆଇନ କାରବାର ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ଖାଦ୍ୟ ସୁରକ୍ଷା ବିଭାଗ ତୁରନ୍ତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିବାକୁ ସାଧାରଣରେ ଦାବି ହେଉଛି। ଯଦି ଶୀଘ୍ର କଠୋର ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ଏହା ଜନ ଅସନ୍ତୋଷର ରୂପ ନେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଚେତାବନୀ ଦେଇଛନ୍ତି। (ଧର୍ମାନନ୍ଦ ସେଠି ଙ୍କ ଖବର )
