*ସରକାରୀ ଉଚ୍ଚ ବିଦ୍ୟାଳୟ ସୁନାପୁରର ବାର୍ଷିକ କ୍ରୀଡ଼ା ଓ ବାର୍ଷିକ ଉତ୍ସବ*
ନୂଆପଡ଼ା (ମିଖାଏଲ ନନ୍ଦ)
ତା ୧୭-୧
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବୋଡ଼େନ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ସୁନାପୁରର ବାର୍ଷିକ କ୍ରୀଡ଼ା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମୁଣ୍ଡଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଡଲି ମାଝୀ ଜିଲ୍ଲାପରିଷଦ ଅଧ୍ୟକ୍ଷା ନୂଆପଡ଼ା ମୁଖ୍ୟ ଅତିଥି ରୂପେ,ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍ ଆଦିତ୍ୟ ନାରାୟଣ ପଣ୍ଡା,ସମ୍ମାନିତ ଅତିଥି ରୂପେ ସାମ୍ବାଦିକ ରାମନାଥ ପଣ୍ଡା, ସରପଞ୍ଚ ମୁକ୍ତା ରାଉତ ଓ ସମିତି ସଭ୍ୟା ମୀନା ରାଣୀ ସାହୁ ମଞ୍ଚରେ ଅଳଙ୍କୃତ ଥିଲେ । ବିଜ୍ଞାନ ଶିକ୍ଷୟତ୍ରୀ ସଙ୍ଗୀତା ବେହେରା ସୁନ୍ଦର ଶବ୍ଦାଳଙ୍କାର ସହିତ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ସମ୍ଭାଷଣ ରଖିଥିବାବେଳେ ଶିକ୍ଷକ ବିଭୀଷଣ ନାୟକ ମଞ୍ଚ ପରିଚାଳନା କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୁଣ୍ଡ ବିଦ୍ୟାଳୟର ବିବରଣୀ ପଠନ କରିବା ସମୟରେ ଦେଖିବାକୁ ମିଳିଥିଲା କି ତାଙ୍କ ବିଦ୍ୟାଳୟ ପାଇଁ କିଛି ଜରୁରୀ ଆବଶ୍ୟକତା ରହିଛି – ବିଜ୍ଞାନ ଲାବୋରେଟରୀ,କମ୍ପ୍ୟୁଟର ଶିକ୍ଷକ,ରୋଷେଇ ଗୃହ, ପ୍ରଥମରୁ ଦଶମ ଶ୍ରେଣୀ ଥିବା ଦୃଷ୍ଟିରୁ ଆଉ କିଛି ଶ୍ରେଣୀ ଗୃହ,ଖେଳ ପଡିଆ ଓ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ମିଟିଂ ହଲ ।ମୁଖ୍ୟ ଅତିଥି ଡଲି ମାଝୀ ଛାତ୍ର ଛାତ୍ରୀଙ୍କ ପାଇଁ କ୍ରୀଡ଼ା ଓ ଉତ୍ସବ କାହିଁକି ଆବଶ୍ୟକ ଓ ଏହା ଦ୍ଵାରା ଛାତ୍ର ଛାତ୍ରୀଙ୍କ କ’ଣ ସବୁ ପରିବର୍ତ୍ତନ ଆସିଥାଏ ତାକୁ ନିଜ ବକ୍ତବ୍ୟରେ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଛନ୍ତି ।ମୁଖ୍ୟବକ୍ତା ଶ୍ରୀଯୁକ୍ତ ଆଦିତ୍ୟ ପଣ୍ଡା ଛାତ୍ର ଛାତ୍ରୀଙ୍କ କଳାର ଗୁଣ ଗାନ କରିବା ସହିତ କ୍ରୀଡ଼ା ଓ ଉତ୍ସବ ଆମ ଜୀବନ ପାଇଁ କେତେ ଫଳ ପ୍ରଦକାରୀ ତାକୁ ବିଭିନ୍ନ ଶ୍ଳୋକ,ଉପମା ଓ ଶବ୍ଦାଳଙ୍କାର ବଳରେ ଯେଉଁଭଳି ଭାବରେ ଉପସ୍ଥାପନ କରିଛନ୍ତି ତାହା ନିଶ୍ଚିତ ଭାବରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ଦିଗରେ ପ୍ରେରଣା ଯୋଗାଇଛି ।ସମସ୍ତ ଅତିଥି ନିଜ ଅଭିଭାଷଣରେ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ମଣିଷ ଗଢି ତୋଳିବାକୁ ଦିଗଦର୍ଶନ ପ୍ରଦାନ କରିଥିଲେ ।ପୂର୍ବ ବର୍ଷ ଓ ଚଳିତ ବର୍ଷ ବିଦ୍ୟାଳୟ ସ୍ତରରେ,ଜିଲ୍ଲା ସ୍ତରରେ ଓ ରାଜ୍ୟ ସ୍ତରରେ ବିଜ୍ଞାନ ଶିକ୍ଷୟତ୍ରୀ ସଙ୍ଗୀତା ବେହେରା ଏବଂ କ୍ରୀଡ଼ା ଶିକ୍ଷକ ପ୍ରଦୀପ କୁମାର ଯୋଶୀ ତଥା ବିଦ୍ୟାଳୟର ବିଭିନ୍ନ ବିଭାଗର ଶିକ୍ଷକ ଶିକ୍ଷୟତ୍ରୀଙ୍କ କଠିନ ପରିଶ୍ରମ ଓ ଦିଗଦର୍ଶନ ବଳରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଆଜି ମାନ ପତ୍ର ସହ ଉପଢ଼ୋକନ ଦେଇ ସମ୍ମାନିତ କରି ସେମାନଙ୍କ ଉଜ୍ଜଳ ଭବିଷ୍ୟତ କରାଯାଇଛି ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଛାତ୍ର ଛାତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରିପକାଇଥିଲା ।
