ମଣ୍ଡି ଉଦ୍ଘାଟନକୁ ୫ ଦିନ ବିତିଲା,ସ୍ବାଭାବିକ ହେଉ ନାହିଁ ଧାନ କିଣା।
ଢେଙ୍କାନାଳ ସଦର : ଢେଙ୍କାନାଳ ଜିଲ୍ଲାରେ ଗତ ୧୨ ତାରିଖରୁ ଆରମ୍ଭ ହେଲାଣି ଧାନ କିଣା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ ବି ପ୍ରଥମ ଦିନରେ ଆଦୌ ଧାନ କିଣାଯାଇପାରି ନଥିଲା। ଇତିମଧ୍ୟରେ ପାଞ୍ଚ ଦିନ ବିତିଥିଲେ ସୁଦ୍ଧା ଏଯାବତ୍ ଧାନକିଣା ସ୍ବାଭାବିକ ହୋଇପାରିନାହିଁ। ଜିଲ୍ଲାରେ ନମକୁ ମାତ୍ର ୩ଟି ମଣ୍ଡିରେ ସ୍ବଳ୍ପ ପରିମାଣରେ ଧାନ କିଣାଯାଇଛି। ଶୁକ୍ରବାର ଆଉ ୭ଟି ମଣ୍ଡି ଖୋଲିଥିଲେ ବି ଧାନକିଣା ହୋଇପାରିନାହିଁ । ଅନ୍ୟ ସମସ୍ତ ମଣ୍ଡି କେବେ ଖୋଲିବ ଓ କେବେ ଧାନକିଣା ଆଗେଇବ ଚାଷୀ ଚାହିଁ ବସିଛି। ଅନେକ ଚାଷୀ ବେପାରୀଙ୍କୁ ଶାଗ ମାଛ ଦରରେ ଧାନ ବିକ୍ରି କରିଚାଲିଛନ୍ତି। ପ୍ରାୟ ଦୁଇ ମାସ ହେଲା ଚାଷୀ ଧନ ଅମଳ କରି ସାରିଲେଣି। ହେଲେ ମଣ୍ଡି ଖୋଲିବାରେ ଏଥର ବିଳମ୍ବ କରାଯାଇଛି। ଚଳିତ ବର୍ଷ ଗତ ୧୨ ତାରିଖରୁ ଗଁଦିଆ ବ୍ଳକ କାଶିପୁର ସେବା ସମବାୟ ସମିତିରୁ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି। ପ୍ରଥମ ଦିନ ୩ଟି ମଣ୍ଡି ଖୋଲିଥିବା ବେଳେ ମୁଠାଏ ବି ଧାନ କିଣାଯାଇପାରିନଥିଲା। ଶୁଭାରମ୍ଭ ହୋଇଥିବା କାଶିପୁର ମଣ୍ଡିରେ ୪ ଜଣ ଚାଷୀ ୧୫୧ କୁଇଣ୍ଟାଲ ଧାନ ଆଣି ଥିଲେ। ମାତ୍ର ମିଲରଙ୍କ ଡିମାଣ୍ଡରେ ଅନଲାଇନ୍ ସମସ୍ୟା କାରଣରୁ କିଣାଯାଇପାରିନଥିଲା। ଉଦଘାଟନର ୫ ମାତ୍ର ୩ଟି ମଣ୍ଡିରେ କିଣା ଯାଉଛି ସ୍ୱଳ୍ପ ପରିମାଣର ଧାନ
ଶୁକ୍ରବାର ଖୋଲିଲା ଆଉ ୭ ମଣ୍ଡି ବିଳମ୍ବର ଫାଇଦା ଉଠାଉଛନ୍ତି ବେପାରୀଦିନ ପରେ ବି ଧାନ କିଣା ସ୍ବାଭାବିକ ହେଉ ନାହିଁ। ଏପଟେ ଟୋକନ୍ ପାଇ ଚାଷୀ ମଣ୍ଡିକୁ ଅନେଇ ବସିଛି। ବିଭାଗୀୟ ସୂଚନା ଅନୁସାରେ,ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମାତ୍ର ୧୦ଟି ମଣ୍ଡି ଖୋଲିଛି।କାଶିପୁର,ପିଙ୍କୁଆ,ଭୁଷଳ ମଣ୍ଡିରେ ଧାନ କ୍ରୟ କରାଯାଇଥିବା ବେଳେ ପରିମାଣ ଅତି ନଗନ୍ୟ। ଜମୁନାକୋଟ,ମାଣିପୁର ଇନ୍ଦିପୁର,ରାୟନରସିଂହପୁର,ବାଇସିଂହା ଆଦି ଅନ୍ୟ ୭ଟି ମଣ୍ଡି ଆଜି ହିଁ ଖୋଲିଛି। ହେଲେ ଧାନ କିଣାଯାଇପାରିନାହିଁ। ଧାନକିଣାରେ ଏଭଳି ସ୍ଥିତି ଦଲାଲଙ୍କୁ ସୁହାଉଛି। ବେପାରୀ ଦଲାଲ ଜରିଆରେ ଚାଷୀଙ୍କ ଠାରୁ କମ୍ ଦରରେ ଧାନ କିଣି ଚାଲିଛନ୍ତି। ତୁରନ୍ତ ଜିଲ୍ଲାରେ ସମସ୍ତ ମଣ୍ଡି ଖୋଲିବାକୁ ଚାଷୀ ଦାବି ହୋଇଛି। ପ୍ରକାଶ ଥାଉକି,ଢେଙ୍କାନାଳ ଜିଲ୍ଲାରେ ଚଳିତ ବର୍ଷ ୮୮ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ୨୪ଟି ସବ୍- ପ୍ୟାକ୍ସକୁ ମିଶାଇ ମୋଟ ୧୧୪ଟି ମଣ୍ଡିରେ ଖରିଫ୍ ଧାନ କିଣାଯିବ। ଢେଙ୍କାନାଳ ସଦର ବ୍ଳକରେ ୧୬ଟି ମଣ୍ଡି ହୋଇଥିବା ବେଳେ ଗଁଦିଆରେ ୨୩,ଓଡାପଡାର ବ୍ଳକରେ ୯ଟି,କାମାକ୍ଷାନଗରରେ ୧୩ଟି,ଭୁବନରେ ୧୨ଟି,କଙ୍କଡାହାଡରେ ୧୨ଟି,ପରଜଙ୍ଗ ବ୍ଳକରେ ୧୩ଟି ଓ ହିନ୍ଦୋଳ ବ୍ଳକରେ ୧୬ଟି ମଣ୍ଡି କରାଯାଇଛି। ଜିଲ୍ଲାରେ ୫୫ ହଜାର ୮୯୭ ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜିକରଣ କରିଛନ୍ତି। ଗତବର୍ଷ ଜିଲ୍ଲାରୁ ୧୭ ଲକ୍ଷ ୯୫ ହଜାର କୁଣ୍ଟାଲ ଧାନ କିଣାଯାଇଥିଲା। ଚଳିତ ଥର ପ୍ରାଥମିକ ଭାବେ ୧୦ ଲକ୍ଷ ୩୫ ହଜାର କୁଇଣ୍ଟାଲ ଧାନ କିଣିବାକୁ ଗର୍ଗେଟ ରହିଛି।
ରିପୋର୍ଟ ଗୋକୁଳାନନ୍ଦ ବେହେରା ଭଞ୍ଜଦୂତ ଖବର
