*ନୂଆପଡ଼ାରେ କୃଷି ଓ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ l ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*
ନୂଆପଡ଼ା(ମିଖାଏଲ ନନ୍ଦ)
୦୯/୦୧
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ଓ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ରବି ଋତୁ ୨୦୨୫-୨୬ ପାଇଁ ଫସଲ ଖସଡ଼ା, ସାର ବଣ୍ଟନ ଏବଂ ବିଭିନ୍ନ ପ୍ରୋତ୍ସାହନ ବିତରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଏହାସହିତ ରବି ଋତୁ ପାଇଁ ଡାଲି ଚାଷରେ ଆତ୍ମନିର୍ଭରତା ମିଶନ, ଶ୍ରୀ ଅନ୍ନ ଅଭିଯାନ ଏବଂ ଚାଷୀ ରେଜିଷ୍ଟ୍ରି ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା।
ଜିଲ୍ଲାପାଳ ଅଧିକାରୀମାନଙ୍କୁ ଚାଷୀମାନେ ବିଭିନ୍ନ ଯୋଜନାର ସୁଫଳ ଏବଂ ସର୍ବାଧିକ ସୁବିଧା ପାଇବା ପାଇଁ ସମନ୍ୱୟର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ, କୋମନା ବ୍ଲକ ନଉଗାଁ ଗ୍ରାମର ସଫଳ ଯୁବା ଚାଷୀ ତୁଳାରାମ ଭୋଇଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ୨୯ ବର୍ଷୀୟ ତୁଳାରାମ ଭୋଇ ସମନ୍ୱିତ ଚାଷ ପ୍ରୋତ୍ସାହନ ସ୍ପେସିଆଲ ପ୍ରୋଗ୍ରାମରୁ କିଭଳି ସୁବିଧା ପାଇଲେ ଏବଂ ବର୍ତ୍ତମାନ ଚାଷରୁ ବର୍ଷକୁ ୫ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ।ଏହି ଅବସରରେ ଜିଲ୍ଲା ସ୍ତରୀୟ ହରଡ଼ ଅଧିଗ୍ରହଣ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାସହିତ ଜିଲ୍ଲାପାଳ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ଯଥା ଉଦ୍ୟାନ କୃଷି ଅଭିବୃଦ୍ଧି ପାଇଁ ସମନ୍ୱିତ ମିଶନ, ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ, ଖାଇବା ତେଲ ର ଜାତୀୟ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ l ଏହି ଅବସରରେ ପାଞ୍ଚଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରା ଯାଇଥିଲା। ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗୀୟ ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ ସାଂସଦ ଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ବିଧାୟକ ନୂଆପଡା ଙ୍କ ପ୍ରତିନିଧି ରାମଲାଲ ହଂସ ତଥା କୃଷି ଓ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ସମନ୍ଵିତ କୃଷି ମାଧ୍ୟମରେ କୃଷକର ଉନ୍ନତି ,ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପଳାୟନ ରୋକିବା, ବେକାରୀ ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l
