ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ।
ସୋର,୨୮/୧୨(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ଥାନା ୧୬ନମ୍ବର ଜାତୀୟ ରାଜପଥ ରେଳ ଓଭରବ୍ରିଜ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ ଏହାର ଚାଳକ ସୁରକ୍ଷିତ ଥିବା ଜଣାପଡିଛି। ସୁଚନା ଅନୁସାରେ ଆଜି ସକାଳେ ଡବ୍ଲୁବି ୩୩ ଇ ୯୮୬୪ ନମ୍ବର ବିଶିଷ୍ଟ ୧୪ ଚକିଆ ଟ୍ରକଟି ଚାଉଳ ବୋଝେଇ କରି କଲିକତାରୁ ଆନ୍ଦ୍ରପ୍ରଦେଶ ଅଭିମୁଖେ ଯାଉଥିଲା। ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟ ରେଳ ଓଭରବ୍ରିଜ ଉପରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସୌଭାଗ୍ୟ ବଶତଃ ଏହାର ଚାଳକ ସୁରକ୍ଷିତ ଥିବା ବେଳେ ଗାଡିରେ ଥିବା ଚାଉଳ ବସ୍ତା ଗୁଡ଼ିକ ରାସ୍ତା ଉପରେ ପଡିରହିଥିଲା। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଗାଡି ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୁ ଜାମ ହଟାଇବା ସହିତ କ୍ରେନ ସାହାଯ୍ୟରେ ଗାଡିଟିକୁ ଉଠାଇଥିବା ଜଣାପଡିଛି।
