ବୌଦ୍ଧରେ ନଭେମ୍ବର ୪ ତାରିଖରେ ଜିଲ୍ଲାସ୍ତରୀୟ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବ । ପେନ୍ସନ୍ ସମ୍ବନ୍ଧୀୟ ଦୀର୍ଘଦିନର ବିଚାରାଧୀନ ମାମଲାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ l ବୌଦ୍ଧ, ତା. ୩୧/୧୦
ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ସହିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ଯଥାସମୟରେ ପ୍ରଦାନ ଏବଂ ଦୀର୍ଘଦିନ ଧରି ବିଚାରାଧୀନ ଥିବା ପେନ୍ସନ୍ ମାମଲାଗୁଡ଼ିକର ଚୂଡ଼ାନ୍ତ ଫଇସଲା କରିବା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଆରୋପ କରିଛନ୍ତି।
ନିକଟରେ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗୀୟ ସଚିବ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପେନ୍ସନ୍ ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ସ୍ୱତନ୍ତ୍ର ଅଭିଯାନ ହାତକୁ ନେବା ସହ ନିୟମାନୁଯାୟୀ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସୁନିଶ୍ଚିତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ପେନ୍ସନ୍ ଦାବିଦାର ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଆସନ୍ତା ୦୪ ନଭେମ୍ବର ୨୦୨୬ ତାରିଖ ବୁଧବାର ଦିନ ସକାଳ ୧୦ଟାରୁ ଅପରାହ୍ନ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବୌଦ୍ଧଠାରେ ଏକ ଜିଲ୍ଲାସ୍ତରୀୟ ‘ପେନ୍ସନ୍ ଅଦାଲତ’ ଅନୁଷ୍ଠିତ ହେବ।ଏହି ପେନ୍ସନ୍ ଅଦାଲତରେ ଦୀର୍ଘଦିନ ଧରି ଅନୁମୋଦନ ଅପେକ୍ଷାରେ ଥିବା ଚୂଡ଼ାନ୍ତ ପେନ୍ସନ୍ ମାମଲା, ଅବସରକାଳୀନ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଏବଂ ଅନ୍ୟାନ୍ୟ ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନିଆଯିବ।
ଅଦାଲତର ସଫଳ ଆୟୋଜନ ଓ ଅଧିକରୁ ଅଧିକ ପେନ୍ସନ୍ ଭୋଗୀଙ୍କୁ ସୁବିଧା ପ୍ରଦାନ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ ପେନ୍ସନ୍ ଅନୁମୋଦନକାରୀ କର୍ତ୍ତୃପକ୍ଷ (PSAs)ଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ PSAଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ନିଜ ନିଜ ବିଭାଗର ବିଚାରାଧୀନ ମାମଲାଗୁଡ଼ିକର ଫଇସଲା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଅଧିକ ସଂଖ୍ୟକ ଚୂଡ଼ାନ୍ତ ପେନ୍ସନ୍ ମାମଲା ବିଚାରାଧୀନ ରଖିଥିବା ବିଭାଗଗୁଡ଼ିକର ଅଧିକାରୀମାନଙ୍କୁ ଅଦାଲତରେ ଅନିବାର୍ଯ୍ୟ ଭାବେ ଉପସ୍ଥିତ ରହିବାକୁ କୁହାଯାଇଛି।ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କିମ୍ବା ଡିଏସ୍ପି ପାହ୍ୟାର ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ମନୋନୀତ କରିବେ l ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କ ସହ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (BEO)ଙ୍କୁ ମଧ୍ୟ ଅଦାଲତରେ ଉପସ୍ଥିତ ରହିବାକୁ କୁହାଯାଇଛି, କାରଣ ପେନ୍ସନ୍ ସମ୍ବନ୍ଧୀୟ ବହୁ ସଂଖ୍ୟକ ମାମଲା ଶିକ୍ଷା ବିଭାଗ ସହ ଜଡ଼ିତ ରହିଛି।
ଅତିରିକ୍ତ ଜିଲ୍ଲାପାଳ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (Establishment)ଙ୍କୁ ନେଇ ଏକ ସମନ୍ୱୟ ବୈଠକ କରି ଅଦାଲତର ସୁପରିଚାଳନା ଓ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ ପେନସନ ସମ୍ବନ୍ଧୀୟ ଅଭିଯୋଗ କାରୀ ଏହି ପେନସନ ଅଦାଲତ ସୁବିଧା ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି l
