ନେତାଙ୍କ ଛକାପଞ୍ଝା ! ଗୋଟିଏ ପଟେ କର୍ମୀ ଦ୍ୱନ୍ଦରେ ତ ଅନ୍ୟପଟେ ନିରାଶା ଭିତରେ ସମର୍ଥକ !
ଡିସେମ୍ବର ଛବିଶ ତାରିଖରେ ବିଜେଡ଼ିର ପ୍ରତିଷ୍ଠା ଦିବସ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପାଳନ ହେବାକୁ ଯାଉଥିବା ବେଳେ, ବାଲେଶ୍ବର ଜିଲ୍ଲାର ଭୋଗରାଇ , ଜଳେଶ୍ଵର, ବସ୍ତା,ସୋର, ନୀଳଗିରି କୁ ଛାଡିଦେଲେ ରେମୁଣା, ସିମୁଳିଆ, ବାଲେଶ୍ବର ସଦରରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ବାରି ହେଉଥିବାକୁ ନେଇ ବେଶ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଗତ ସାଧାରଣ ନିର୍ବାଚନରେ ଏହି ତିନୋଟି ନିର୍ବାଚନ ମଣ୍ଡଳୀ ସମେତ ନୀଳଗିରି ନିର୍ବାଚନ ମଣ୍ଡଳୀ ବିଜେପି ହାତେଇ ନେଇଥିବା ବେଳେ, ନୀଳଗିରିକୁ ବାଦ ଦେଲେ ବାକି ରେମୁଣା, ସିମୁଳିଆ, ବାଲେଶ୍ବର ସଦରରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ରହିଛି ଖୁବ ତୀବ୍ର , ଯାହାକୁ ଏଡ଼ାଇ ଦିଆଯାଇନପାରେ। ଏପରିକି ଗତ ନିର୍ବାଚନ ଠାରୁ ଏ ପର୍ଯ୍ୟନ୍ତ ବିଜେଡ଼ିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମକୁ ଦୁଇ ଗୋଷ୍ଠୀ ଖୁବ ଛକାପଞ୍ଝା ହୋଇ ପାଳନ କରୁଥିବା ଲକ୍ଷ୍ୟ କରାଯାଉଛି। ଯାହାକୁ ନେଇ ଏହି ତିନୋଟି ନିର୍ବାଚନ ମଣ୍ଡଳୀର ବିଜେଡ଼ି କର୍ମୀ କାହାର ହେବେ, ଖୁବ ଦ୍ୱନ୍ଦରେ। କେବଳ ସେତିକି ନୁହେଁ ଗାଁ ଗଣ୍ଡା ଠାରୁ ଆରମ୍ଭ କରି ଛକ ଛକ ରେ ଏହାକୁ ନେଇ ଖୁବ ଚର୍ଚ୍ଚା ଶୁଣିବାକୁ ମିଳୁଛି। କିଛି କର୍ମୀ,ନେତାଙ୍କର ଏଭଳି କାର୍ଯ୍ୟକୁ ଖୁବ ସମାଲୋଚନା କରୁଥିବା ବେଳେ, କିଛି କର୍ମୀ ନୀରବ ହୋଇ ଯାଇଥିବା ଲକ୍ଷ୍ୟ କରାଯାଉଛି। ତେବେ ନେତୃତ୍ୱକୁ ନେଇ ଏଭଳି ଛକାପଞ୍ଝା ଲାଗି ରହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବା ନିଃସନ୍ଦେହ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଗତ ଦିନରେ ଜିଲ୍ଲାର ଆଠଟି ନିର୍ବାଚନ ମଣ୍ଡଳୀରୁ ସାତୋଟିରେ ବିଜେଡ଼ି ଲଗାତାର ଜିତିଥିବା ନଜିର ରହିଥିବା ବେଳେ,ଏ ପର୍ଯ୍ୟନ୍ତ ବିଜେଡ଼ି ବାଲେଶ୍ବର ପାଇଁ ସଭାପତି ଚୟନ କରିବା କ୍ଷେତ୍ରରେ ବି ଦ୍ୱନ୍ଦରେ ! ଯାହାକୁ ନେଇ କେବଳ ଜିଲ୍ଲା ନୁହେଁ ବରଂ ରାଜ୍ୟର ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଶୁଣିବାକୁ ମିଳୁଛି।।।
