ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏଚ୍ଆଇଭି/ଏଡ୍ସ ସଚେତନତା କାର୍ଯ୍ୟକ୍ରମ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ରାୟଗଡ଼, ୨୩/୯/୨୬ : ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ରେଡ୍ ରିବନ୍ କ୍ଲବ୍ ୟୁନିଟ୍ ପକ୍ଷରୁ ଏଚ୍ଆଇଭି/ଏଡ୍ସ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସରସ୍ୱତୀ ରାୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏଚ୍ଆଇଭି/ଏଡ୍ସ ସମ୍ପର୍କରେ ସଚେତନତାର ଗୁରୁତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ। ସେ ଯୁବପିଢ଼ିଙ୍କ ମଧ୍ୟରେ ସଠିକ୍ ତଥ୍ୟ, ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟି କରିବା ସହିତ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ସହାନୁଭୂତି ଓ ଭେଦଭାବମୁକ୍ତ ମନୋଭାବ ରଖିବାକୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମରେ ଯୁବ ରେଡ୍କ୍ରସ୍ର ଜିଲ୍ଲା ଆବାହକ ସଚିବ ଟିକେଶ୍ୱର ମାଝୀ ଅତିଥିଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବିଷୟବସ୍ତୁ ସମ୍ପର୍କରେ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟର ଉଦ୍ଭିଦ ବିଭାଗର ଅଧ୍ୟାପିକା ତଥା ବିଭାଗୀୟ ମୁଖ୍ୟ ପ୍ରିୟଦର୍ଶିନୀ ବଳ ଯୋଗଦେଇ ଏଚ୍ଆଇଭି/ଏଡ୍ସ ସମ୍ପର୍କରେ ବିସ୍ତୃତ ସଚେତନତାମୂଳକ ଆଲୋଚନା କରିଥିଲେ। ସେ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଏଚ୍ଆଇଭି/ଏଡ୍ସ କ’ଣ, ଏଚ୍ଆଇଭି ସଂକ୍ରମଣର କାରଣ ଓ ସଂକ୍ରମଣର ମାଧ୍ୟମ, ପ୍ରତିରୋଧମୂଳକ ବ୍ୟବସ୍ଥା, ଚିକିତ୍ସା ଓ ସଚେତନତାର ଆବଶ୍ୟକତା ଉପରେ ସରଳ ଭାବରେ ବୁଝାଇଥିଲେ। ଏଥିସହିତ ଏଚ୍ଆଇଭି ସମ୍ପର୍କିତ ଭୁଲ ଧାରଣା ଦୂର କରିବା ଓ ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ସମ୍ମାନଜନକ ବ୍ୟବହାର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ରେଡ୍ ରିବନ୍ ସ୍ୱେଚ୍ଛାସେବୀମାନଙ୍କ ଭୂମିକା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ସମାଜରେ ଏଚ୍ଆଇଭି/ଏଡ୍ସ ବିଷୟରେ ସଠିକ୍ ସୂଚନା ପହଞ୍ଚାଇବା, ଭ୍ରାନ୍ତ ଧାରଣା ଦୂର କରିବା ଓ ସଚେତନତା ସୃଷ୍ଟି କରିବାରେ ସ୍ୱେଚ୍ଛାସେବୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି ବକ୍ତା କହିଥିଲେ। କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ସ୍ୱେଚ୍ଛାସେବୀଙ୍କ ସମେତ ମହାବିଦ୍ୟାଳୟର ବହୁ ସଂଖ୍ୟକ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଟିକେଶ୍ୱର ମାଝୀ ଧନ୍ୟବାଦ ଅର୍ପଣ କରି ଅଧ୍ୟକ୍ଷା, ବକ୍ତା, ଅଧ୍ୟାପକ-କର୍ମଚାରୀ, ସ୍ୱେଚ୍ଛାସେବୀ ଓ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
