ଢାବା ଅଧରାତିରେ ଉପରକୁ ବୋମା ମାଡ।
ଢେଙ୍କାନାଳ ସଦର : ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ପଦ୍ମନାଭପୁର ମଦ ଦୋକାନ ନିକଟରେ ଥିବା ଏକ ଢାବା ଉପରେ ରବିବାର ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି। ଢାବା ମାଲିକ ସପ୍ତଶଯ୍ୟା ବଡ଼ଗିଲାର ଗାଁର ରୁଦ୍ରକାନ୍ତ ସାହୁ ଏନେଇ ସଦର ଥାନା ଗୋବିନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଖାଇବା ଟଙ୍କା ନ ଦେଇ ଧମକ ଚମକ ଦେଇ ଆସୁଥିବା ବେଳେ ଶେଷରେ ଦୁର୍ବୃତ୍ତ ବୋମା ପକାଇଥିବା ଅଭିଯୋଗ ହୋଇଛି। ୩ଟି ବୋମା ମାଡ଼ରେ ଢାବା ଆଜବେଷ୍ଟସ ଭାଙ୍ଗିରୁଜି ଯାଇଛି।
ଅଭିଯୋଗ ଅନୁସାରେ,ଶ୍ରୀ ସାହୁ ପ୍ରାୟ ବର୍ଷେ ହେଲା ମଦ ଦୋକାନ ନିକଟରେ ଏକ ଢାବା କରିଛନ୍ତି। ମାସେ ତଳେ ନିକଟସ୍ଥ ଏକ ଗାଁର କିଛି ବ୍ୟକ୍ତି ଖାଇବାକୁ ଆସିଥିଲେ। ଖାଇବା ଟଙ୍କା ମାଗିବାରୁ ଧମକ ଚମକ ଦେଇଥିଲେ। ଗାଳି ଗୁଲଜ କରି ବୋମା ପକାଇ ଦେବାକୁ ଧମକ ଦେଇଥିଲେ। ଶ୍ରୀ ସାହୁ ପୋଲିସ୍କୁ ଫୋନ୍ କରିଥିଲେ। ପୋଲିସ ପହଞ୍ଚିବାରୁ ସମସ୍ତେ ଫେରାର ହୋଇଯାଇଥିଲେ। ଏହାପରେ ସେମାନେ ବିଭିନ୍ନ ସମୟରେ ଧମକ ଚମକ ଦେଇ ଆସୁଥିଲେ। ଶେଷରେ ରବିବାର ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ବାଇକ୍ ଓ କାରରେ ପ୍ରାୟ ୭ଜଣ ଦୁର୍ବୃତ୍ତ ଆସି ଢାବା ଉପରକୁ ୩ଟି ବୋମା ପକାଇଥିଲେ। ଭିତରେ ଥିବା ଢାବା ମାଲିକ ଶ୍ରୀ ସାହୁ ଆସିବାରୁ ଫେରାର୍ ହୋଇଯାଇଥିଲେ। ବୋମା ମାଡ଼ରେ ଢାବା ଛପର ଭାଙ୍ଗିବା ସହ ଭିତରେ ଥିବା ଫ୍ରିଜ୍ ଆଦି ନଷ୍ଟ ହୋଇଯାଇଛି। ଶ୍ରୀ ସାହୁ ଗୋବିନ୍ଦପୁର ଫାଣ୍ଡିରେ ଅଭିଯୋଗ କରିବା ପରେ ସୋମବାର ସକାଳେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିଛି। ପୋଲିସ୍ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
