ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର।
ଢେଙ୍କାନାଳ ସଦର : ରେଡ୍ ଜୋନ୍ ପାଲଟିଛି ରାମେଶ୍ୱରପୁର
ଓଭରବ୍ରିଜ୍ ତଳ ରେଲ୍ଲାଇନ୍। ଗତ ମାସେ ମଧ୍ୟରେ ରାମେଶ୍ୱରପୁର ରେଳ ଲାଇନ୍ରୁ ୪ ଜଣଙ୍କର ମୃତଦେହ ଉଦ୍ଧାର ହେଲାଣି। ସୋମବାର ପୁଣି ଜଣେ ବ୍ୟକ୍ତିଙ୍କ ମୃତଦେହ ରେଳଧାରଣା ନିକଟରୁ ମିଳିଛି। ଅପରାହ୍ଣରେ ରାମେଶ୍ଵରପୁର ରେଳଧାରଣା ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ରେଲୱେ ପୁଲିସ୍କୁ ସୂଚନା ଦେଇଥିଲେ। ମୃତ ବ୍ୟକ୍ତିଙ୍କ ବୟସ ୪୦ ପାଖାପାଖି ହେବ। ସେ ଏକ ହାପ୍ ପ୍ୟାଣ୍ଡ୍ ଓ ଟି-ସାର୍ଟ ପିନ୍ଧିଥିବା ବେଳେ ଅଣ୍ଟାରେ ଏକ ଗାମୁଛା ବାନ୍ଧିଛନ୍ତି। କୌଣସି ଟ୍ରେନ୍ରେ ମାଡ଼ ହେବାପରେ ତାଙ୍କର ପଛପାର୍ଶ୍ବ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗୋଟିଏ ଗୋଡ଼ କଟିଯାଇଛି। ରେଳବାଇ ଶବ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ସଂରକ୍ଷିତ ରଖିଛି। ଏହି ଅଞ୍ଚଳ ରେଳଧାରଣା ଏବେ ଦୁର୍ଘଟଣାର ରେଡ୍ ଜୋନ୍ ପାଲଟିଛି। ଅଧିକାଂଶ ମୃତ୍ୟୁ ପଛରେ ଆତ୍ମ ହତ୍ୟା ବୋଲି ଜାଣିବାକୁ ମିଳୁଛି। ରେଳୱେ ପୁଲିସ୍ ଉକ୍ତ ଅଞ୍ଚଳ ରେଡ୍ ଜୋନ୍ ବିବେଚନା କରୁଥିବା ବିଭାଗର ଜଣେ ଅଧିକାରୀ କହିଛନ୍ତି।
