ଭବାନୀପାଟଣା:( କିଶନ୍ ଶର୍ମା ):- କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରୁ ଭବାନୀପାଟଣା ରେଳ ଷ୍ଟେସନକୁ ନୂତନ ରାସ୍ତା ନିର୍ମାଣଣ ପାଇଁ ଦାବି କରିଛି କଳାହାଣ୍ଡି ରେଳଯାତ୍ରୀ ସଂଘ। ସଂଘର ସଭାପତି ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତୀୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ରେଳଷ୍ଟେସନ ଭାବେ ପରିଚିତ ଭବାନୀପାଟଣା ରେଳ ଷ୍ଟେସନକୁ କେନ୍ଦ୍ର ସରକାର ଅମୃତଭାରତ ଯୋଜନାରେ ସାମିଲ କରିଛନ୍ତି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ନବନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ସେହିପରି ସହରରୁ ଦୂରରେ ଥିବା ଷ୍ଟେସନ ପାଇଁ କେବଳ ଗୋଟିଏ ସଂଯୋଗୀକରଣ ରାସ୍ତା ଥିବାବେଳେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରୁ ସିଧାସଳଖ ସଂଯୋଗ କରୁଥିବା ରାସ୍ତା ଆଜି ବି ଅବହେଳିତ ହୋଇ ରହିଛି। ଅନ୍ୟପକ୍ଷରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ, କଳାହାଣ୍ଡି କୃଷି ମହାବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର, କୃଷି ଇଞ୍ଜିନିୟରିଂବିଭାଗ ମୁଖ୍ୟ କାର୍ଯ୍ୟାଳୟ ଓ ଆର୍ ଆର୍ ଟିଏସ୍ କାର୍ଯ୍ୟାଳୟ ଠାରୁ ରେଳଷ୍ଟେସନକୁ ରାସ୍ତାର ଦୂରତା ଅଧିକ ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତାର ଉନ୍ନତିକରଣ ପାଇଁ ନା ରେଳ ବିଭାଗ ନା ପୂର୍ତ୍ତ ବିଭାଗ କେହି ବି ଦୃଷ୍ଟି ଦେଇନାହାନ୍ତି। ଏହାକୁ ନେଇ କଳାହାଣ୍ଡି ରେଳଯାତ୍ରୀ ସଂଘ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯିବା ସହିତ ଏହାର ଉନ୍ନତିକରଣ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରାଯାଇଛି। କଳାହାଣ୍ଡି ରେଳଯାତ୍ରୀ ସଂଘ ପକ୍ଷରୁ ସଭାପତି ଭବାନୀ ଶଙ୍କର ନିଆଲଙ୍କ ସହିତ ମହାସଚିବ ନିରୋଜ ପଟ୍ଟନାୟକ, ଉପସଭାପତି ପରମାନନ୍ଦ ମାଝୀ, ଦେବୀ ପ୍ରସାଦ ସିନ୍ଦୁର, ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ, ସୁଶୀଲ କୁମାର ବାଗ, ସଦସ୍ୟ ସୁଧୀର କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଦାବିପତ୍ର ଗ୍ରହଣ କରିବା ସହିତ ଜିଲ୍ଲାପାଳ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
