ଜିଲ୍ଲା ପ୍ରଶାସନ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ
— ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା ଅଧୀନରେ ଦକ୍ଷତା ବିକାଶ ଏବଂ ନିଯୁକ୍ତି ମେଳା ଆୟୋଜିତ
— ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କଲେ ଜିଲ୍ଲାପାଳ
— ୯ ଜଣ ପିଆଇଏଙ୍କ ଦ୍ଵାରା ୨୧୦ ଜଣ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ କାଉନସେଲିଂ
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ଜୟନ୍ତ କୁମାର ପଣ୍ଡା
ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା ଅନ୍ତର୍ଗତ ଦକ୍ଷତା ବିକାଶ ଏବଂ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସ୍ଥାନୀୟ ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାର୍ଥୀମାନଙ୍କୁ ଅବଗତ କରିଥିଲେ ଏବଂ ଏହାର ଲାଭ ନେବାକୁ ପରାମର୍ଶ ଦେଇଥିଲେ। ଏଥିରେ ସରକାରଙ୍କ ଦ୍ୱାରା ମନୋନୀତ ୯ ଜଣ ପିଆଇଏଙ୍କ ଦ୍ଵାରା ୨୧୦ ଜଣ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ କାଉନସେଲିଂ କରାଯାଇଥିଲା। ପ୍ରାର୍ଥୀମାନେ ବିଭିନ୍ନ ଟ୍ରେଡ ଏବଂ ଯୋଜନାରେ ସେମାନଙ୍କ ନାମ ଲେଖାଇବା ସହ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ଥିଲେ। ସମ୍ମାନିତ ଅତିଥି ଭାବେ ଓଏସଏଫଡିସିର ମୁଖ୍ୟ ପରିଚାଳକ ଏବଂ ଏନସି ମହାବିଦ୍ୟାଳୟର ଅଧ୍ୟକ୍ଷ ଉପସ୍ଥିତ ଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଜିଲ୍ଲା ନିୟୋଜନ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର କର୍ମଚାରୀମାନେ କାର୍ଯକ୍ରମ ପରିଚାଳନା କରିଥିଲେ।
