ଯାଜପୁର ଜିଲ୍ଲା ଇନଡୋର ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଳିତ।
ଯାଜପୁର/(ଭଞ୍ଜଦୂତ :ନିପ୍ର )ରିପୋର୍ଟର:-ବିଦ୍ୟା ଧର ଦାସ
ଯାଜପୁର ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦୁଇଟି ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଲୋକ ନୃତ୍ୟ, ଲୋକ ଗୀତ, ଔପଚାରିକ ବକ୍ତୃତା, ଚିତ୍ରାଙ୍କନ, ଗଳ୍ପ ଲିଖନ, କବିତା ଲିଖନ ଇତ୍ୟାଦି ବିଭାଗ ଗୁଡ଼ିକରେ ପ୍ରତିଯୋଗିତା ସମ୍ପନ୍ନ ହୋଇଅଛି। ଏହି ଯୁବ ଉତ୍ସବରେ ଜିଲ୍ଲାର ୧୫ ରୁ ୨୯ ବର୍ଷୀୟ ଯୁବକ ଯୁବତୀମାନେ ଅଂଶ ଗ୍ରହଣ କରିଥିଲେ। ଦିବା ୧୧ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ, ଶ୍ରୀ ଫକୀର ମୋହନ ଟୁଡୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଏହି ଯୁବ ଉତ୍ସବ ଉଦଘାଟିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଯୁବ ଶକ୍ତି ହେଲେ ଦେଶର ଭବିଷ୍ୟତ। ଯୁବ ଉତ୍ସବ ମାଧ୍ୟମରେ ଯୁବକ ଯୁବତୀମାନଙ୍କର ପ୍ରତିଭାର ବିକଶିତ ହୋଇପାରିବ। ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରୀୟ ଯୁବ ଉତ୍ସବରେ କୃତିତ୍ୱ ହାସଲ କରି ଯାଜପୁର ଜିଲ୍ଲାକୁ ଗୌରବାନିତ୍ଵ କରିବାକୁ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ ଅଧିକାରୀମାନେ ଯୁବ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବଂ ଭାରତର ଯୁବଶକ୍ତି ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉଦଯାପନୀ ସମାରୋହ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଉଦଯାପନୀ ସମାରୋହ ରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଯୁବ ପିଢ଼ିଙ୍କୁ କାର୍ଯ୍ୟରେ ସ୍ଥିରତା ଓ ଶୃଙ୍ଖଳା ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଆଜିର ଯୁବଶକ୍ତି ଦକ୍ଷତା ଓ ନିରନ୍ତର ପ୍ରୟାସ ଏବଂ ଦୃଢ଼ ଲକ୍ଷ୍ୟ ରଖି କାର୍ଯ୍ୟ କଲେ କୌଣସି କାର୍ଯ୍ୟ ତାଙ୍କ ପାଇଁ ଅସମ୍ଭବ ହେବା ନାହିଁ ବୋଲି ନିଜର ବକ୍ତବ୍ୟରେ କହିଥିଲେ। ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହିତ ସମସ୍ତ ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ର ଗଠନ ରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବିଜେତା ହୋଇଥିବା ୧୪ ଗୋଟି ଏକକ ପ୍ରତିଯୋଗୀ ଓ ୪ ଗୋଟି ସାଂସ୍କୃତିକ ଦଳ ଜିଲ୍ଲାରୁ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଫକିର ମୋହନ ଟୁଡୁ ଉତ୍ସବ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ, ବିଚାରକ ମଣ୍ଡଳୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହାୟତା କରିଥିଲେ।
