
ଆନ୍ଦୋଳନ କୁ ଓହ୍ଲାଇବ ଓଡିଶା ଶିଳ୍ପୀ ମହାସଂଘ
ଯାଜପୁର। (ନିପ୍ର)ଯୋଜନା ତ ଅନେକ ହେଲେ
ଆପଣମାନେ ଜାଣିଛନ୍ତି, ଉତ୍କର୍ଷ କଳାର ରାଜ୍ୟ ଆମ ଓଡିଶା । କୃଷି ପରେ ଏକ ପ୍ରମୁଖ ସ୍ୱାବଲମ୍ବୀ କ୍ଷେତ୍ର ଭାବେ ଦଶ ଲକ୍ଷରୁ ଉର୍ଦ୍ଧ ଲୋକ ଏହି ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ଓଡିଶା ଅସ୍ମିତାର ପରିଚୟ ଆମ ଶିଳ୍ପୀ ଓ ବୁଣାକାର ଜାତି ଆମ ପାରଂପାରିକ କଳାକାରିଗରୀକୁ ବଂଚାଇ ଆସିବା ସହ ଆମ ରାଜ୍ୟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର କାରିଗର ଓ ବୁଣାକାରଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସତ, ହେଲେ ଆନ୍ତରିକତା ଅଭାବରୁ ଏହି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଁଚି ପାରୁନି ।
ଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ଅବିଚାର ପ୍ରତିିବାଦରେ ଆସନ୍ତା ଅଗଷ୍ଟ ୬ ତାରିଖରୁ କାରିଗର ବହୁଳ ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଗଢି ତୋଳିବାକୁ ଓଡିଶା ଶିଳ୍ପୀ ମହାସଂଘ ନିଷ୍ପତି ନେଇଛି । ଗତ ୨୭ ତାରିଖ, ରବିବାର ଭୁବନେଶ୍ୱର ସୁଦର୍ଶନ କ୍ରାଫ୍ଟ ଭିଲେଜ ପରିସରରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରୀ ସମିତି ବୈଠକର ନିଷ୍ପତି କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ ।
ଆମର ଯେତେ ପ୍ରକାରର ହସ୍ତ ଓ ବୟନ କଳା, ସେତେ ପ୍ରକାରର ସମସ୍ୟା । ଏଥର କିନ୍ତୁ ଆମ ସ୍ମାରକ ପତ୍ରରେ ମାତ୍ର ଦୁଇଟି ଦାବୀ ରହିବ । ଗୋଟିଏ ହେଲା ପୂର୍ବ ସରକାର ସମୟରୁ ଲାଗୁ କରା ଯାଇଥିବା ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ମାସିକ ଆର୍ଥିକ ସହାୟତା ଯୋଜନାର ନିୟମାନୁଯାୟୀ ଯୋଗ୍ୟ ଶିଳ୍ପୀ ଓ ବୁଣାକାରଙ୍କୁ ଯଥାଶୀଘ୍ର ପ୍ରଦାନ କରିବା । ସୂଚନା ଥାଉକି, ଏବେ ଏହି ଯୋଜନା ଅଧୀନରେ ରାଜ୍ୟର ୧୫୦୦ରୁ ଉର୍ଦ୍ଧ ବରିଷ୍ଠ ବୁଣାକାର ମାସିକ ଦୁଇ ହଜାର ଟଙ୍କା ପାଉଛନ୍ତି । ପରିତାପର ବିଷୟ ଜଣେ ହେଲେବି ହସ୍ତଶିଳ୍ପୀ ଏହି ଯୋଜନାରୁ ଉପକୃତ ହୋଇନାହାନ୍ତି । ଯୋଜନାରେ କିନ୍ତୁ ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ବୁଣାକାର ଓ ହସ୍ତଶିଳ୍ପୀ ଏହି ଯୋଜନାର ଲାଭାର୍ଥୀ ହୋଇପାରିବେ ବୋଲି ନିୟମ ରହିଛି । ବାରଂବାର ଦାବୀ ସତ୍ୱେ ରାଜ୍ୟ ସରକାର ଆଦୈା କର୍ଣ୍ଣପାତ କରୁ ନାହାନ୍ତି ।
ଠିକ ସେହିଭଳି ଓଡିଶା ଶିଳ୍ପୀ ମହାସଂଘର ପ୍ରଗାଢ ଉଦ୍ୟମ ବଳରେ ଗଠିତ ହୋଇଥିବା ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ ରାଜ୍ୟ ସରକାର ଗଠନ କରୁନାହାନ୍ତି । ଇତି ମଧ୍ୟରେ ନୂତନ ସରକାରକୁ ବର୍ଷେ ପୁରି ସାରିଥିବାବେଳେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଦାବିଷ୍ଣୁ ସାଜିଛି । ମନେ ପକାଇଦିଏ, ଏହି ପରିଷଦ ରାଜ୍ୟ ସରକାର ଏବଂ କାରିଗର ଓ ବୁଣାକାରଙ୍କ ମଧ୍ୟରେ ସଂପର୍କର ସେତୁ ପାଲଟିଥିବାବେଳେ ପୂର୍ବ ପାଳିରେ ନିପୁଣ ଶିଳ୍ପୀ /ବୁଣାକାରଙ୍କ ଦରମା ବୃଦ୍ଧି, ପ୍ରଶିକ୍ଷାର୍ଥୀଙ୍କ ଭତା ବୃଦ୍ଧି, ଦେଢଶହରୁ ଉର୍ଦ୍ଧ ହସ୍ତଶିଳ୍ପ ଗ୍ରାମ ବା ପୁଂଜର ଚିହ୍ନଟ ପାଇଁ ସାଇନ ବୋର୍ଡ ବ୍ୟବସ୍ଥା, ଶିଳ୍ପୀ ଓ ବୁଣାକାରଙ୍କ ପାଇଁ କର୍ମଶାଳା, ଉତ୍କଳିକା ମାଧ୍ୟମରେ ସାହାଣ ପଥର ଯୋଗାଣ ଓ ଖଣ୍ଡଗିରି ନିକଟରେ ପରିଷଦର କାର୍ଯ୍ୟାଳୟ ପ୍ରତିଷ୍ଠା ଆଦି ଅନେକ ନିଷ୍ପତି ନେଇ ପାରିଥିଲା । ଏହି ପରିଷଦର ପରିଚାଳନା ବୋର୍ଡରେ ହସ୍ତଶିଳ୍ପୀ ଓ ବୁଣାକାର ରହିବାର ବ୍ୟବସ୍ଥା ଥିବାରୁ, ଏହା ସକ୍ରିୟ ହେବା ଅତ୍ୟନ୍ତ ଜରୁରୀ ଅଟେ ।
ଆସନ୍ତା ଅଗଷ୍ଟ ୬ ତାରିଖରୁ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅଗଷ୍ଟ ୧୪ ତାରିଖ ସୁଦ୍ଧା ଶେଷ ହେବ । ପ୍ରଥମ ପାଳିରେ ଅଗଷ୍ଟ ୬ ତାରିଖରେ ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ । ପଶ୍ଚିମ ଓଡିଶା ତଥା ଅନ୍ୟ ଜିଲ୍ଲାମାନଙ୍କରେ ଆସନ୍ତା ୧୧ ତାରିଖରୁ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟର ସମସ୍ତ ଶିଳ୍ପୀ ଓ ବୁଣାକାରଙ୍କୁ ଓଡିଶା ଶିଳ୍ପୀ ମହାସଂଘ ନିବେଦନ କରୁଅଛି ।