ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ): ସୋର ବ୍ଲକ ଦହିସଡା ପଞ୍ଚାୟତ ପାଟଣାସାହି ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗି ଦୁଇ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି।ଆଜି ସନ୍ଧ୍ୟାରେ ଏହି ଗ୍ରାମର ସ୍ବର୍ଗତ ଦେବାନନ୍ଦ ଦାସଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା। ଫଳରେ ଘର ଭିତରେ ଥିବା ଗ୍ୟାସ ସିଲିଣ୍ଡରରେ ଅଗ୍ନି ସଂଯୋଗ ହୋଇ ଟାଙ୍କିଟି ଫାଟି ଯାଇଥିଲା। ନିଆଁର ରୂପ ଏତେ ଉଗ୍ର ଥିଲା ଯେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସୋର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଘରେ ଥିବା ଧାନ, ଚାଉଳ ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇ ଯାଇଥିଲା।ଉକ୍ତ ପରିବାରଟି ସମ୍ପୂର୍ଣ୍ଣ ଗରିବ ହୋଇଥିବା ବେକେ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବୀ କରାଯାଇଛି।
