୧୭ ଘଣ୍ଟା ଇଡି ଚଢ଼ାଉ, ବନ ବିଭାଗ ହାତରେ ଗିରଫ ହେଲେ ଈଶ୍ୱର ବିନ୍ଧାଣୀ
ଉଦଳା ୦୫/୧୧(ସତ୍ୟବାନ ନାୟକ):- ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ବିଶୋଳ ଗ୍ରାମରେ ଇଡିର ଦୀର୍ଘ ୧୭ ଘଣ୍ଟାର ଚଢ଼ାଉ ପରେ ଏକ ବଡ଼ ଖୁଲାସା ହୋଇଛି। ଈଶ୍ୱର ବିନ୍ଧାଣୀଙ୍କ ଘରେ ଚାଲିଥିବା ତଦନ୍ତ ସମୟରେ ହରିଣ ଶିଙ୍ଗ ଓ ହାତୀ ଦାନ୍ତ ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ବନ ବିଭାଗ ଈଶ୍ୱର ବିନ୍ଧାଣୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କଳ୍ପନା ଫାଇନାନ୍ସ ସର୍ଭିସେସ ନାମରେ ଟ୍ରେଡିଂ କରାଇ ୧୨୨ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି ଏହି ଚଢ଼ାଉ କରିଥିଲା। ଦୀର୍ଘ ସମୟର ତଦନ୍ତ ପରେ ଇଡି ଅଧିକାରୀମାନେ ଘରୁ ଫେରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କିଛି ଦସ୍ତାବିଜ ନିଜ ହେପାଜତକୁ ନେଇଥିବା ସୂଚନା ମିଳିଛି। ଜବତ ହୋଇଥିବା ବନ୍ୟଜନ୍ତୁଙ୍କ ଅଂଶର ଫରେନସିକ୍ ପରୀକ୍ଷା କରାଯିବ। ଏହାର ଉତ୍ସ ଓ ଆଇନଗତ ସ୍ଥିତି ନେଇ ବନ ବିଭାଗ ତଦନ୍ତ ଜାରି ରଖିଛି। ଇଡିର ଆର୍ଥିକ ଠକେଇ ତଦନ୍ତ ଏବଂ ବନ ବିଭାଗର ବନ୍ୟଜନ୍ତୁ ଅଂଶ ଜବତ ମାମଲା ଆଗକୁ କେଉଁ ଦିଗ ନେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।
