ଚୋରା ମଦ ଜବତ୍, ୧ ଗିରଫ
ଆଗରପଡ଼ା,( ନିପ୍ର) ଗତକାଲି ବିପୁଳ ପରିମାଣରେ ବିନା ଲାଇସେନ୍ସ ପ୍ରାପ୍ତ ବାଣକୁ ଜବତ୍ କରିବା ପରେ ବୁଧବାର ଆଗରପଡ଼ା ଥାନାଧିକାରୀ ରାଜେଶ ସେଠୀ ଚୋରା ବିଦେଶୀ ମଦ ଜବତ୍ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏହି ସଂପର୍କରେ ସେ ଥାନା କେସ ନଂ୨୩୪/୨୬ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଥାନାଧିକାରୀ ବିଟିପୁର ସ୍ଥିତ ଧୋବାସାହୀରେ ଅତର୍କିତ ଚଢ଼ାଉ କରିଥିଲେ । ୮.୭୩୦ ଲିଟର ବିଦେଶୀ ମଦ ଜବତ୍ ହେବା ସହ ଏଥିରେ ସଂପୃକ୍ତ ଦିପୁନ ସେଠୀଙ୍କୁ ଗିରଫ କରାଯାଇଥିବାର ଥାନାଧିକାରୀ ଶ୍ରୀ ସେଠୀ ଗଣମାଧ୍ଯମ ପ୍ରତିନିଧିମାନଙ୍କୁ କହିଛନ୍ତି।
ରୋଗୀ ୱାର୍ଡ଼ରେ ବର୍ଷାପାଣି ପଶିଲା
ଆଗରପଡ଼ା,(ସବ୍ୟୁ)
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ହେବାରୁ ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ ୱାର୍ଡ଼ରେ ପାଣି ପଶିଲା । ଏଥିପାଇଁ ଚିକିତ୍ସାଧୀନ ରୋଗୀମାନଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଡିସଚାର୍ଯ ଓ ଅନ୍ୟ ମେଡିକାଲକୁ ରେଫର କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ନିର୍ମିତ ୩ ମହଲା ବିଶିଷ୍ଟ ଗୃହ ଉଦଘାଟନ ହୋଇ ନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ରୋଗୀ ୱାର୍ଡ଼ ଉପର ତାଲା ଗୃହ ନିର୍ମାଣାଧୀନ ରହିଛି । ପାହାଚ ଦେଇ ରୋଗୀ ୱାର୍ଡ଼ କୁ ପାଣି ନିର୍ଗତ ହେବାରୁ ଏହି ୱାର୍ଡ଼ ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ମୁଖ୍ୟ ଫାଟକ ପ୍ରବେଶ ରାସ୍ତାରେ ଜଳ ନିଷ୍କାସନ ପାଇଁ ସୁବ୍ୟବସ୍ଥା ନ ଥିବାରୁ ଏଠାରେ ଆଣ୍ଠୁଏ ଲେଖାଁଏ ପାଣି ଲହଡ଼ି ଭାଙ୍ଗୁଛି । ଯଦ୍ଦ୍ଵାରା ରୋଗୀ ଓ କର୍ମଚାରୀମାନେ ପାଣିରେ ପଶି ମେଡିକାଲକୁ ଯାଆଆସ କରୁଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି ।
