ବର୍ଷା କମିଲା, ଦୁର୍ଦ୍ଦଶା ବଢ଼ିଲା;ଇଙ୍ଗିନାଠି ପଞ୍ଚାୟତର ୫୦୦ ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ନଷ୍ଟ; ୧୫ ହଜାର କୁକୁଡ଼ା ମୃତ;୩୦ ଘଣ୍ଟା ପରେ ଫେରିଲା ବିଦ୍ୟୁତ୍, ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ
ବେଲଗୁଣ୍ଠା,୩୦/୧୦, -(ଶିବରାମ ଚୌଧୁରୀ )-ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ବେଲଗୁଣ୍ଠା ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ଷା କମିବା ପରେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ଇଙ୍ଗିନାଠି ପଞ୍ଚାୟତରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ବିଶେଷକରି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ପଞ୍ଚାୟତର ୫୦୦ ଏକରରୁ ଊର୍ଦ୍ଧ୍ୱ ଜମିରେ ପାଚିଲା ଧାନ ଫସଲ ନଷ୍ଟ ହୋଇଥିବାବେଳେ ବଲାଡ଼ି ନିକଟରେ ଦୁଇଟି କୁକୁଡ଼ା ଫାର୍ମରେ ପାଣି ପଶି ପ୍ରାୟ ୧୫ ହଜାର କୁକୁଡ଼ାଙ୍କ ମୃତ୍ୟୁ ଘଟିଛି।
ବଡ଼ନଦୀ ଓ ବୋଡ଼ାନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବାବେଳେ ଲୋହରାଖଣ୍ଡି ନଦୀରେ ଜଳସ୍ତର ଅତ୍ୟଧିକ ବଢ଼ିଥିଲା। ଡହ ଘାଇର ଜଳସ୍ତର ବିପଦ ସଂକେତ ଅତିକ୍ରମ କରିବାରୁ ଡହ ଅଞ୍ଚଳର ବନ୍ୟାଜଳ ଲୋହରାଖଣ୍ଡି ନଦୀକୁ ପ୍ରବାହିତ ହୋଇଥିଲା। ଫଳରେ ନଦୀର ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହେବା ସହ ଇଙ୍ଗିନାଠି, ଜାମପଲ୍ଲି ଓ ଡିମ୍ବିରିପଲ୍ଲୀ ଅଞ୍ଚଳରେ ବନ୍ୟାଜଳ ମାଡ଼ିଯାଇଥିଲା।ଇଙ୍ଗିନାଠି ପଞ୍ଚାୟତର ଇଙ୍ଗିନାଠି, ଉସ୍ତପଲ୍ଲୀ, ସାରିଆପଲ୍ଲୀ, ରତଙ୍ଗ, ବଲାଡି ଓ ମନ୍ଦାର ସମେତ ଧୁମୁଛାଇ ପଞ୍ଚାୟତର ଡିମ୍ବିରିପଲ୍ଲୀ ଓ ପାଟୁଳିସାହି ଗ୍ରାମରେ ବନ୍ୟାଜଳ ପଶି ଘରଦ୍ୱାର ଓ ଚାଷଜମି ଜଳମଗ୍ନ ହୋଇଥିଲା। ଘରେ ପାଣି ପଶିବାରୁ ଆସବାବପତ୍ର ନଷ୍ଟ ହୋଇଥିବାବେଳେ ଚାଳଛପର ଘରଗୁଡ଼ିକ ଭଗ୍ନ ଅବସ୍ଥାକୁ ଆସିଛି। ଗ୍ରାମ ଓ ଚାଷଜମିର ଅବସ୍ଥା ଦେଖିଲେ ନଦୀର ଭ୍ରମ ସୃଷ୍ଟି ହେଉଥିଲା।ସବୁଠାରୁ ଅଧିକ କ୍ଷତି ହୋଇଛି ଚାଷଜମିରେ। ପାଚିବା ଅବସ୍ଥାରେ ଥିବା ଧାନ ଫସଲ ବନ୍ୟାଜଳରେ ବୁଡ଼ିଯାଇଥିଲା। ଏବେ ଜମିରୁ ପାଣି କମିଥିଲେ ମଧ୍ୟ ଧାନଗଛଗୁଡ଼ିକ କାଦୁଅରେ ଶୋଇ ରହିଛି। ଫଳରେ ଧାନ ଅମଳ କରିବା ପ୍ରାୟ ଅସମ୍ଭବ ହୋଇପଡ଼ିଛି। ଋଣ କରି ଟ୍ରାକ୍ଟରରେ ଚାଷ, ସାର ଓ ମଜୁରି ବାବଦରେ ଖର୍ଚ୍ଚ କରିଥିବା ଚାଷୀଙ୍କ ବର୍ଷକର ଆହାର ଏବେ ପାଣିରେ ମିଶିଯାଇଛି। ଧାନ ଫସଲ ସହ କଦଳୀ ବଗିଚା, ଆଖୁବାଡ଼ି ଓ ପରିବା ଫସଲ ମଧ୍ୟ ବ୍ୟାପକ ଭାବେ ନଷ୍ଟ ହୋଇଛି। ଏହାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଥିବାବେଳେ ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି।ବନ୍ୟାରେ ଯୋଗାଯୋଗ ଓ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବଲାଡ଼ିରୁ କୁଶପଲ୍ଲୀକୁ ଯାଇଥିବା ମାଟିରାସ୍ତା ଧୋଇ ହୋଇଯାଇଥିବାବେଳେ ମନ୍ଦାର ନିକଟରେ ରାସ୍ତା ସମ୍ପୂର୍ଣ୍ଣ ଧୋଇଯିବାରୁ ଯାତାୟାତ ବନ୍ଦ ହୋଇଛି। ଡିମ୍ବିରିପଲ୍ଲୀ-ଷଡ଼ଙ୍ଗୀପଲ୍ଲୀ ରାସ୍ତାରେ ବିଦ୍ୟୁତ୍ ତାର ଛିଡ଼ି ପଡ଼ିଥିବାବେଳେ ଦୁଇରୁ ତିନୋଟି ବିଦ୍ୟୁତ୍ ଖୁଣ୍ଟ ଚାଷଜମିରେ ଉପୁଡ଼ି ପଡ଼ିଛି। ଅନ୍ୟ ଖୁଣ୍ଟଗୁଡ଼ିକ ମଧ୍ୟ ବଙ୍କା ହୋଇଯାଇଛି। ଗୁରୁବାର ଭୋର ୫ଟାରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିବା ପରେ ପ୍ରାୟ ୩୦ ଘଣ୍ଟା ପରେ ଶୁକ୍ରବାର ଅପରାହ୍ନ ୪ଟାରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇଥିଲା।ଅନ୍ୟପକ୍ଷରେ ବଲାଡ଼ି ନିକଟରେ ତ୍ରିନାଥ ଗୋଛାୟତଙ୍କ ଦୁଇଟି କୁକୁଡ଼ା ଫାର୍ମରେ ବନ୍ୟାଜଳ ପଶିଯିବାରୁ ପ୍ରାୟ ୧୫ ହଜାର କୁକୁଡ଼ା ମରିଯାଇଛନ୍ତି। ମୃତ କୁକୁଡ଼ାଗୁଡ଼ିକୁ ଗାତ ଖୋଳି ପୋତି ଦିଆଯାଇଛି।ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରେ ଫାଇଲିନ୍ ବାତ୍ୟା ପରବର୍ତ୍ତୀ ବନ୍ୟାରେ ଇଙ୍ଗିନାଠି ପଞ୍ଚାୟତ ତିନିଦିନ ଧରି ଜଳମଗ୍ନ ହୋଇଥିଲା। ବଡ଼ନଦୀରେ ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହେବାରୁ ପ୍ରାୟ ୩୦୦ ଏକର ଚାଷଜମି ବାଲିଚର ହୋଇଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ଏହି ପଞ୍ଚାୟତକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲା। ତଥାପି ଆଜି ପର୍ଯ୍ୟନ୍ତ ସେହି ଜମିରୁ ସମ୍ପୂର୍ଣ୍ଣ ବାଲି ହଟିପାରି ନାହିଁ। ବର୍ତ୍ତମାନ ମଧ୍ୟ ୧୦ରୁ ୧୫ ଏକର ଜମି ବାଲିଚର ହୋଇ ରହିଛି। ଏହି ଅଞ୍ଚଳରୁ ଉତ୍ପାଦିତ ପରିବା ବେଲଗୁଣ୍ଠା ଓ ଭଞ୍ଜନଗର ବଜାରକୁ ଯାଉଥିବାବେଳେ ୨୦୧୩ ପରଠାରୁ ସେହି ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି।ବନ୍ୟା ବିପନ୍ନଙ୍କୁ ରିଲିଫ୍ ଯୋଗାଇବା ପାଇଁ ଶୁକ୍ରବାର ସକାଳେ ବ୍ଲକ୍ ପ୍ରଶାସନ ପକ୍ଷରୁ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ବିଡିଓ ସିଙ୍ଗାପୁରମ୍ ହରି, ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ସମେତ ବିଭିନ୍ନ ସରକାରୀ କର୍ମଚାରୀ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ସକାଳେ ବିପନ୍ନଙ୍କୁ ଚୁଡ଼ା ଓ ଚିନି ବଣ୍ଟନ କରାଯାଇଥିବାବେଳେ ମଧ୍ୟାହ୍ନରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା। ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଜଣାପଡ଼ିଛି।ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ଚାଷଜମିର ତୁରନ୍ତ ଆକଳନ କରିବା ସହ ଚାଷୀଙ୍କୁ ଉପଯୁକ୍ତ ସରକାରୀ କ୍ଷତିପୂରଣ ଓ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
