ବେତନଟୀରେ ବଢୁଛି ଚୋରଙ୍କ ଉପଦ୍ରବ
:- ଦୁଇ ଦିନରେ ଦୁଇ ଘରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍
:- ପୁଲିସର ତଦନ୍ତ ଜାରି
ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ ଚୋରଙ୍କ ଉପଦ୍ରବ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ୪୮ ଘଣ୍ଟା ମଧ୍ୟରେ ଦୁଇଟି ପୃଥକ ସ୍ଥାନରୁ ତାଲା ଭାଙ୍ଗି ନଗଦ ୯୦ ହଜାର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା-ରୂପା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦିବାଲୋକରେ ମଧ୍ୟ ଏଭଳି ଚୋରି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସୁରକ୍ଷା ଭାବନା ଦେଖାଦେଇଛି। ପ୍ରଥମ ଘଟଣାଟି ବେତନଟୀ ଉପକଣ୍ଠ ଶୁଖୁଲାହାର ଅନ୍ତର୍ଗତ ଇନ୍ଦିରାନଗର ଅଞ୍ଚଳରେ ଘଟିଛି। ଯାଜପୁର ରୋଡ୍ରେ କାର୍ଯ୍ୟରତ ସୁଜିତ କୁମାର ଦାସ ଗତ ଗଣେଶ ପୂଜା ଛୁଟି ପରେ କର୍ମକ୍ଷେତ୍ରକୁ ଫେରିଯାଇଥିଲେ। ୬ ତାରିଖରେ ଘରର ତାଲା ଭଙ୍ଗା ଥିବା ନେଇ ପଡ଼ୋଶୀଙ୍କଠାରୁ ଖବର ପାଇ ସେ ପହଞ୍ଚିବା ପରେ ମୁଖ୍ୟ ଗ୍ରୀଲ୍, ଚାରୋଟି କବାଟ ଏବଂ ତିନୋଟି ଆଲମାରୀ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘରୁ ନଗଦ ୫୦ ହଜାର ଟଙ୍କା, ସୁନାପଲା, ଏକ ହଳ ସୁନା କାନଫୁଲ ଓ ତିନୋଟି ରୂପା କଏନ୍ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଛି। ଏନେଇ ବେତନଟୀ ଥାନାରେ କେସ୍ ନଂ ୩୯୬ରେ ଏକ ମାମଲା ରୁଜୁ ହୋଇଛି। ଅନୁରୂପ ଭାବେ କଙ୍କାକାଳିଆ ଛକ ନିକଟରେ ଦିନବେଳା ଅନ୍ୟ ଏକ ଚୋରି ଘଟିଛି। ଜଣେ ବ୍ୟକ୍ତି ନିଜ ପୁଅ ସହ ମାତ୍ର ତିନି ଘଣ୍ଟା ପାଇଁ ବାହାରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶିଥିଲେ। ସେଠାରୁ ନଗଦ ୪୦ ହଜାର ଟଙ୍କା ଓ ପ୍ରାୟ ୨୬ ହଜାର ଟଙ୍କା ମୂଲ୍ୟର ସୁନା କଏନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ କେସ୍ ନଂ ୩୯୪ ରୁଜୁ କରି ତଦନ୍ତ ଚଳାଇଛି।ବେତନଟୀ ଓ ଏହାର ଆଖପାଖ ଅଞ୍ଚଳରେ ଲଗାତାର ଘଟୁଥିବା ଚୋରି ଘଟଣା ସ୍ଥାନୀୟ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅସାମାଜିକ ତତ୍ତ୍ୱଙ୍କ ଏଭଳି କାର୍ଯ୍ୟକଳାପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ତେଣୁ ପୁଲିସ ପ୍ରଶାସନ ତୁରନ୍ତ ରାତ୍ରୀକାଳୀନ ପାଟ୍ରୋଲିଂ ବୃଦ୍ଧି କରିବା ସହ ଅଭିଯୁକ୍ତମାନଙ୍କୁ ଖୋଜି ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
