ବେତନଟୀରେ କଂଗ୍ରେସ ତରଫରୁ ଭାରତ ବନ୍ଦ ସଫଳ।
:- ଶାନ୍ତିପୂର୍ଣ୍ଣ ଭାବେ ହୋଇଛି ଆନ୍ଦୋଳନ
ବେତନଟୀ : ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଡାକରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ଆଜି ବେତନଟୀ ବ୍ଲକ୍
ଅଞ୍ଚଳରେ ବ୍ୟାପକ ଭାବେ ଦେଖିବାକୁ ମିଳିଛି। ବ୍ଲକ୍ କଂଗ୍ରେସ ପକ୍ଷରୁ କରାଯାଇଥିବା ଏହି ବନ୍ଦ ଡାକରା ସ୍ଥାନୀୟ ଅଞ୍ଚଳରେ ସଫଳ ହୋଇଥିବା ବେଳେ ସ୍ୱାଭାବିକ ଜନଜୀବନ କିଛି ସମୟ ପାଇଁ ପ୍ରଭାବିତ ହୋଇଛି। ବେତନଟୀ ବ୍ଲକ୍ କଂଗ୍ରେସ କମିଟି ସଭାପତି କୁଶଧର ବେହେରାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଦଳୀୟ କର୍ମୀମାନେ ବିଭିନ୍ନ ଛକରେ ପିକେଟିଂ କରିବା ସହ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଭିନ୍ନ ବ୍ୟାଙ୍କ, ଏବଂ ସମସ୍ତ ବିଦ୍ୟାଳୟ ସହିତ ବେତନଟୀ କଲେଜ ମଧ୍ୟ ବନ୍ଦ ଥିବାର ଦେଖିବାକୁ ମିଳିଥିଲା। ଏହି ଆନ୍ଦୋଳନରେ ବରିଷ୍ଠ ନେତା କ୍ଷୀରୋଦ ଚନ୍ଦ୍ର ପାତ୍ର, ବାସନ୍ତୀ ସାହୁ, ସୁରେଶ ଚନ୍ଦ୍ର ମହାନ୍ତ, ଚନ୍ଦ୍ର ମୋହନ ମହାନ୍ତ, ରଘୁନାଥ ମୁର୍ମୁ, ସପନ ବାରିକ, ହୃଷିକେଶ ମହାନ୍ତ, ଗୌରହରି ସିଂ, ହେମନ୍ତ ମହାନ୍ତ, ଶରତ କୁମାର ବେହେରା, ବୀଣାପାଣି ମହାନ୍ତ, ସୁଜିତ ମହାନ୍ତ, ଇତିଶ୍ରୀ ପଣ୍ଡିତ, ମଣ୍ଟୁ ମହାନ୍ତ, ଜନ୍ମଜୟ ସାହୁ, ହରିହର ପ୍ରଧାନ ଏବଂ ପ୍ରବୀର କୁମାର ବାରିକ୍ଙ୍କ ସମେତ ବହୁ କଂଗ୍ରେସ କର୍ମୀ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଦିନସାରା ଶାନ୍ତିଶୃଙ୍ଖଳା ବଜାୟ ରହିବା ସହ ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଥିଲା। ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣ ସ୍ୱତଃସ୍ଫୂର୍ତ୍ତ ସହଯୋଗ କରିଥିବା ନେଇ ଦଳ ପକ୍ଷରୁ ଦାବି କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
