କଂଗ୍ରେସର ଓଡିଶା ବନ୍ଦ ଡାକରା ପ୍ରଭାବ ପକାଇଲା l
ରଘୁନାଥପୁର(ନି.ପ୍ର),: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେନ୍ଦ୍ର କୁମାର ଙ୍କ ଇସ୍ତଫା ଓ ପାଠ୍ୟ ପୁସ୍ତକ ରେ ବ୍ୟାପକ ତ୍ରୁଟି ଥିବାରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ରଘୁନାଥପୁର ବ୍ଲକ ଅଂଚଳରେ ସଫଳ ହେବା ସହିତ ଲୋକଙ୍କ ଉପରେ ପ୍ରଭାବ ପକାଇଥିଲା।ବନ୍ଦ ପାଳନ ବେଳେ ରାଜ ରାସ୍ତାରେ କାଆଁ ଭାଁ କାର ବାଇକ ଚଳାଚଳ କରୁଥିବା ବେଳେ ବସ ଟ୍ରକ ଯାତାୟାତ ସମ୍ପୂର୍ଣ ବନ୍ଦ ରହିଥିଲା l ସେହିପରି ରଘୁନାଥପୁର ବଜାର, ତାରପୁର ବାଇପାସ୍ ବଜାର, ଜଇପୁର ଛକ, ରେଢୁଆ ହାଟ ବଜାର ଓ ତରିକୁନ୍ଦ ବଜାରରେ କେବଳ ମେଡିସିନ ଦୋକାନ ଖୋଲାଥିବା ବେଳେ ଅନ୍ୟ ସମସ୍ତ ଦୋକାନ ପ୍ରାୟତଃ ବନ୍ଦ ରହିଥିଲା। କଟକ ପାରାଦ୍ୱୀପ ରାସ୍ତା ବନ୍ଦ ହୋଇଥିଲେ ବି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା l ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ରଘୁନାଥପୁର ପୋଲିସ ଅଧିକାରୀ ପ୍ରେମଜୀତ ଦାସ ସଦଳବଳେ ସେଠାରେ ଉପସ୍ଥିତ ରହିଥିଲେ l ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାସ, ସର୍ବେଶ୍ୱର ପଣ୍ଡା, ବିନ୍ଦୁ ସାଗର ମହାପାତ୍ର, ଅଜିତ ଓଝା, ବିଚିତ୍ର ନାୟକ, ମନମୋହନ ଗୋଛାୟତ, ଯଶୋବନ୍ତ ବାରିକ, ପ୍ରଦୀପ ନାୟକ, ଯୋଗେନ୍ଦ୍ର ବାରିକ ଓ ତ୍ରିଲୋଚନ ରାଉତ ପ୍ରମୁଖ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ l ବ୍ଲକ ର କିଛି ଅଂଚଳ କୁ ବ୍ଲକ ସଭାପତି ତାଙ୍କ କର୍ମୀ ମାନଙ୍କୁ ଧରି ପିକେଟିଂ କରି ରଘୁନାଥପୁର ବ୍ଲକ, ତହସିଲ କାର୍ଯ୍ୟାଳୟ , କୃଷି ବିଭାଗ କାର୍ଯ୍ୟାଳୟ ,ରାଷ୍ଟ୍ରାୟତ ବ୍ୟାଙ୍କ ଓ ଅନ୍ୟାନ୍ୟ ଅଫିସ ଗୁଡ଼ିକୁ ବନ୍ଦ କରିଥିଲେ।ଗୋଟିଏ ପଟେ ରାସ୍ତା ରୋକ ଚାଲୁଥିବା ବେଳେ ଅନ୍ୟପଟେ ସ୍କୁଲ, କଲେଜ, ଫାୟାର ଅଫିସ ଓ ଡାକ୍ତରଖାନା ଗୁଡ଼ିକ ସମ୍ପୂର୍ଣ ଭାବେ ଖୋଲା ରହିଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି କଂଗ୍ରେସ କର୍ମୀ ମାନଙ୍କ ପକ୍ଷରୁ କୌଣସି ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି କରାଯାଇ ନଥିଲା l ବନ୍ଦ ପ୍ରଭାବରେ ରାସ୍ତାଘାଟ ଗୁଡିକ ଏକ ପ୍ରକାର ଜନଶୂନ୍ୟ ହୋଇପଡ଼ିଥିବା ବେଳେ ବ୍ୟବସାୟୀମାନେ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିଥିଲେ l
