ଅଗ୍ନିକାଣ୍ଡରେ ଜଳି ଗଲା ସମ୍ପୂର୍ଣ୍ଣ ଘର: ଧାନ, ଚାଉଳ ସହ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ପାଉଁଶ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ପରିବାରର ସର୍ବସ୍ୱ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଧାନ, ଚାଉଳ ସମେତ ଘରର ଅନେକ ଦରକାରୀ ଆସବାବପତ୍ର ନଷ୍ଟ ହୋଇଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚିବାରେ ବିଳମ୍ବ ଏବଂ ଜଳ ଉତ୍ସର ଅଭାବ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ସୋର ବ୍ଲକ ଅନ୍ତର୍ଗତ କୁଡ଼େଇ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି ଦେଖିବାକୁ ମିଳିଛି । ଗତକାଲି ରାତି ପ୍ରାୟ ୧୨ଟା ୨୦ ମିନିଟ ସମୟରେ କୁଡ଼େଇ ଗ୍ରାମର କୁନ୍ତଳା ସାହୁଙ୍କ ଘରର ପଶ୍ଚିମ ପାର୍ଶ୍ୱରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହାକୁ ସ୍ଥାନୀୟ ଲୋକେ ଦେଖିବା କ୍ଷଣି ତୁରନ୍ତ ପଡ଼ୋଶୀଙ୍କୁ ସତର୍କ କରାଇବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତେବେ ଅଗ୍ନିଶମ ଗାଡ଼ି ପହଞ୍ଚିବାରେ ବିଳମ୍ବ ହେବା ଏବଂ ପାଖାପାଖି କୌଣସି ଜଳ ଉତ୍ସ ନଥିବାରୁ ନିଆଁର ଭୟାବହତା ବୃଦ୍ଧି ପାଇଥିଲା। ଫଳରେ ଦେଖୁଦେଖୁ ସମ୍ପୂର୍ଣ୍ଣ ଘରଟି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ନିଆଁର ପ୍ରକୋପରେ ଘରେ ସଞ୍ଚିତ ଥିବା ଧାନ, ଚାଉଳ ସମେତ ବହୁ ମୂଲ୍ୟବାନ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ନିଶ୍ଚିତପୁର ଗ୍ରାମପଞ୍ଚାୟତ ସରପଞ୍ଚ ସୌମେନ୍ଦ୍ର ଦାଶ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତ ପରିବାରକୁ ଭେଟି ସାନ୍ତ୍ୱନା ଦେଇଥିଲେ। ସେହିପରି ସକାଳେ ସ୍ଥାନୀୟ ସମିତି ସଭ୍ୟ ପ୍ରଶାନ୍ତ କୁମାର ସାହୁ ଏବଂ କୁଡ଼େଇ ରାଜସ୍ୱ ନିରୀକ୍ଷକ (ଆର.ଆଇ) ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବା ସହ ପରିବାରବର୍ଗଙ୍କୁ ସରକାରୀ ସ୍ତରରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
