ବନ୍ୟାଜଳରେ ଭାସିଗଲେ ଯୁବକ: ସ୍ଥାନୀୟ ଲୋକଙ୍କ ସାହସିକତା ଯୋଗୁଁ ବର୍ତ୍ତିଲା ଜୀବନ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: କାଂଶବାଂଶ ନଦୀରେ ବନ୍ୟାଜଳ ନିଷ୍କାସନ ହୋଇ ନପାରିବାରୁ ସୃଷ୍ଟି ହୋଇଥିବା ଭୟାବହ ପରିସ୍ଥିତିରେ ଆଜି ଏକ ବଡ଼ଧରଣର ଦୁର୍ଘଟଣା ଟଳି ଯାଇଛି। ବନ୍ୟାଜଳରେ ଭାସି ଯାଉଥିବା ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ସାହସିକତାର ସହ ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, କାଂଶବାଂଶ ନଦୀର ଜଳ ନିଷ୍କାସନ ନହେବାରୁ ସ୍ଥାନୀୟ ଅଞ୍ଚଳରେ ବନ୍ୟାଜଳ ଜମିରହି ୫୦ରୁ ଅଧିକ ଗ୍ରାମ ଏବେ ଜଳମଗ୍ନ ଅବସ୍ଥାରେ ରହିଛି। ବିଭିନ୍ନ ରାସ୍ତାଘାଟ ଉପରେ ଆଣ୍ଠୁଏରୁ ଅଧିକ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଏପରି ସ୍ଥିତିରେ ଆଜି ମଧ୍ୟାହ୍ନରେ ପଦାନପଡା ଗ୍ରାମର ଜଣେ ଯୁବକ ନିଜ ବାଇକ୍ ଯୋଗେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବାକୁ ଯାଉଥିବା ବେଳେ ହଠାତ୍ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ତେବେ ଉପସ୍ଥିତ ସ୍ଥାନୀୟ ଲୋକଙ୍କ ଦ୍ୱିଧାହୀନ ଉଦ୍ୟମ ଓ ରଶି ସାହାଯ୍ୟରେ ଉଭୟ ଯୁବକ ଏବଂ ତାଙ୍କ ଗାଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ଏକ ମାସରୁ ଅଧିକ ଦିନ ହେବ ତଳନଗର ପଞ୍ଚାୟତର ୧୪ଟି ଗାଁର ଲୋକେ ଏଭଳି ଜଳବନ୍ଦୀ ଅବସ୍ଥାରେ ଦିନ ବିତାଉଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ଏଯାବତ୍ ପ୍ରଶାସନ ପକ୍ଷରୁ ସେମାନଙ୍କୁ କୌଣସି ଆବଶ୍ୟକୀୟ ସୁବିଧା କିମ୍ବା ସହାୟତା ଯୋଗାଇ ଦିଆଯାଇ ନାହିଁ। ଏପରିକି ଏନେଇ ସ୍ଥାନୀୟ ଲୋକେ ସୋର ବିଡ଼ିଓ ସୁବ୍ରତ ବେହେରାଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିବା ନେଇ ଗ୍ରାମବାସୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।
