ଝରକା କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୂପା ଚୋରି ।
ନୂଆ ଥାନା ଅଧିକାରୀ ପ୍ରଥମ ଚୋରୀ
ମୟୁରଭଞ୍ଜ ;- ସାରସକଣା,୯/୮:ସାରସକଣା ବ୍ଲକ ଝାରପୋଖରିଆ ଥାନା ଅନ୍ତର୍ଗତ ଘିଆଯୋଡ଼ି ଲୋକନାଥ ନଗରରେ ଏକ ଘରୁ ଲକ୍ଷାଧିକ ଟଙ୍କାର ସୁନାରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଘର ମାଲିକ ସୁକୁମାର ସାହୁଙ୍କ ଘରେ ଦୀର୍ଘଦିନ ଧରି ଭଡ଼ାରେ ରହୁଥିବା ସୁନିଲ ଦଣ୍ଡପାଟଙ୍କ ଘରେ ଏହି ଚୋରି ହୋଇଛି।
ସୂଚନା ଅନୁସାରେ, ସୁନିଲ ଦଣ୍ଡପାଟଙ୍କ ପୁଅ ଅସୁସ୍ଥ ଥିବାରୁ ଗତ ୮ ଦିନ ହେଲା ସେ ଭୁବନେଶ୍ୱରର ହାଇଟେକ୍ ହସ୍ପିଟାଲରେ ଥିଲେ। ଏହାର ସୁଯୋଗ ନେଇ ଗତକାଲି ରାତି ପ୍ରାୟ ୧୨ଟାରୁ ୩ଟା ମଧ୍ୟରେ ଚୋର ଘରେ ପଶିଥିବା ସନ୍ଦେହ କରାଯାଉଛି।
ଭୁବନେଶ୍ୱରରୁ ରାତି ପ୍ରାୟ ୩ଟାରେ ଘରକୁ ଫେରି କବାଟ ଖୋଲିବା ପରେ ଆଲମିରା ଖୋଲା ଥିବା ସହ ଘରର ଲୁଗାପଟା ଓ ଜିନିଷପତ୍ର ଏଣେତେଣେ ପଡ଼ିଥିବା ଦେଖିଥିଲେ ସୁନିଲ। ଆଲଣା ପଛପଟେ ଲୁଚାଇ ରଖିଥିବା ଗହଣା ବ୍ୟାଗ୍କୁ ମଧ୍ୟ ଚୋର ନେଇଯାଇଥିବା ଅଭିଯୋଗ ହୋଇଛି।
ବ୍ୟାଗ୍ରେ ପ୍ରାୟ ୬ ଲକ୍ଷ ଟଙ୍କା ମୂଲ୍ୟର ସୁନାରୂପା ଅଳଙ୍କାର ଥିବାବେଳେ, ଆଲମିରାରୁ ପ୍ରାୟ ୧୦ ହଜାର ଟଙ୍କା ନଗଦ ମଧ୍ୟ ଚୋରି ହୋଇଛି।
ଖବରପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହ ବାରିପଦା ସାଇଣ୍ଟିଫିକ୍ ଟିମ୍କୁ ଖବର ଦେଇଥିଲା। ପରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚୋରି ପଛରେ କିଏ ରହିଛି, ତାହା ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।
ମୟୁରଭଞ୍ଜରୁ ମୋନାଳି ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
