କାଲାଝରୀ ଗ୍ରାମର ଦୁଃଖ କେବେ ଶେଷ ହେବ? କାଦୁଅରେ ବୁଡ଼ିଛି ରାସ୍ତା, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ
ଶୀଘ୍ର ସମାଧାନ ନ ହେଲେ ମାସା ସଂଗଠନର ଧାରଣା ଚେତାବନୀ
ମୟୁରଭଞ୍ଜ,ରାଇରଙ୍ଗପୁର :-୨୭/୭ ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ଗ୍ରାମପଞ୍ଚାୟତର କାଲାଝରୀ ଗ୍ରାମର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ବର୍ଷା ଋତୁରେ ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଥିବାରୁ ପ୍ରତିଦିନ ଗ୍ରାମବାସୀଙ୍କ ଯାତାୟାତ ଦୁର୍ବିଷହ ହୋଇପଡ଼ିଛି।
ଏହି ରାସ୍ତା ଦେଇ ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା, ରୋଗୀ ଏବଂ ସ୍କୁଲ-କଲେଜ ଛାତ୍ରଛାତ୍ରୀମାନେ ଜୀବନକୁ ବିପଦରେ ପକାଇ ପ୍ରତିଦିନ ଯାତାୟାତ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ରାସ୍ତାର ଦୟନୀୟ ଅବସ୍ଥା ସମ୍ପର୍କରେ ପ୍ରଶାସନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନାହିଁ।
ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେମାନଙ୍କ ପ୍ରଶ୍ନ, ବିକାଶ କି କେବଳ କାଗଜକଲମରେ ସୀମିତ? ଲୋକପ୍ରତିନିଧି ଓ ସମ୍ପୃକ୍ତ ପ୍ରଶାସନ କେବେ ଏହି ଗ୍ରାମର ମୌଳିକ ସମସ୍ୟା ପ୍ରତି ଗୁରୁତ୍ୱ ଦେବେ?
ଗ୍ରାମବାସୀଙ୍କ ଦାବି ହେଉଛି, ତୁରନ୍ତ ରାସ୍ତାର ମରାମତି କାମ ଆରମ୍ଭ କରାଯାଇ ସେମାନଙ୍କ ଦୀର୍ଘଦିନର ଦୁର୍ଦ୍ଦଶାର ଅନ୍ତ ଘଟାଯାଉ। ଏହି ଦାବି ପୂରଣରେ ବିଳମ୍ବ ହେଲେ ଗ୍ରାମବାସୀଙ୍କ ସହ ମାସା ସଂଗଠନ ବିଜାତଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣତାନ୍ତ୍ରିକ ଉପାୟରେ ଧାରଣା ରେ ବସି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଏପରି ପରିସ୍ଥିତି ସୃଷ୍ଟି ହେଲେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ସମ୍ପୃକ୍ତ ପ୍ରଶାସନ ବହନ କରିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ମୟୂରଭଞ୍ଜରୁ ମୋନାଲି ସାହୁଙ୍କ ସହ ସୁନିଲ ମହାପାତ୍ରଙ୍କ ରିପୋର୍ଟ ଭଞ୍ଜଦୂତ ଖବର
