ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ
କୋକସରା, ୧୪/୦୭ (କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେର ଗଇଁନ୍ତାପଡା –ଭଣ୍ଡାଡ଼ଙ୍ଗରି ନିକଟରେ ସୋମବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ିର ଧକ୍କାରେ ସର୍ଗିଗୁଡା ଗ୍ରାମର ୨୫ ବର୍ଷୀୟ ଯୁବକ ଅନାଦି ଚନ୍ଦନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଅନାଦି କୌଣସି କାମରେ ଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେରେ ଏକ ଦ୍ରୁତଗତି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ଭିଡ଼ ଜମାଇବା ସହ କୋକସରା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।
