ସହରରେ ଗୁଞ୍ଜିଲା ଗଜଲର ମହଫିଲ, ‘ଶାମ-ଏ-ଗଜଲ’ ଶ୍ରୋତାଙ୍କୁ କଲା ମନ୍ତ୍ରମୁଗ୍ଧ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା: ସ୍ଥାନୀୟ ଟାଉନ୍ ହଲ୍ରେ ଆୟୋଜିତ ‘ଶାମ-ଏ-ଗଜଲ’ କାର୍ଯ୍ୟକ୍ରମରେ ସଙ୍ଗୀତପ୍ରେମୀମାନେ ଘଣ୍ଟା ଘଣ୍ଟା ଧରି ଗଜଲର ସୁରରେ ବିମୋହିତ ହୋଇ ରହିଥିଲେ। କଳାହାଣ୍ଡି କଳାକାର ସଂଘର ସୋନୁ କାଦିର ମହମ୍ମଦଙ୍କ ନେତୃତ୍ୱରେ ଏବଂ ଉର୍ଦ୍ଦୁ ଏକାଡେମୀର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସହରର ସଙ୍ଗୀତପ୍ରେମୀଙ୍କ ପାଇଁ ସ୍ମରଣୀୟ ସନ୍ଧ୍ୟାରେ ପରିଣତ ହୋଇଥିଲା।
ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ରାତି ୧୦:୩୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିଥିଲା। ପ୍ରମୁଖ ଆକର୍ଷଣ ଭାବେ କଣ୍ଠଶିଳ୍ପୀ ପ୍ରୀତି ପ୍ରଜ୍ଞା ଦାସ ଓ ଶୁଭାଶିଷ ସାମଲ ତାଙ୍କ ସୁମଧୁର ପରିବେଷଣ ମାଧ୍ୟମରେ ଦର୍ଶକଙ୍କ ମନ ଜିତିଥିଲେ। ଶ୍ରୋତାମାନେ ପ୍ରତ୍ୟେକ ପ୍ରସ୍ତୁତିକୁ କରତାଳି ଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।
ଦର୍ଶକଙ୍କ ଉତ୍ସାହ ଏତେ ଅଧିକ ଥିଲା ଯେ ସେମାନେ ଲଗାତାର ପସନ୍ଦର ଗଜଲ ଶୁଣିବା ପାଇଁ ଅନୁରୋଧ କରୁଥିଲେ। ସମୟ ସୀମାକୁ ଧ୍ୟାନରେ ରଖି କାର୍ଯ୍ୟକ୍ରମକୁ ରାତି ୧୦:୩୦ଟାରେ ସମାପ୍ତ କରିବାକୁ ପଡ଼ିଥିଲା। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ନିଜ ଆସନରେ ବସି ମନୋନିବେଶର ସହ ଉପଭୋଗ କରିଥିଲେ।
କାର୍ଯ୍ୟକ୍ରମରେ ଅତିଥି ଭାବେ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡ଼ଃ ଅଜୟ କୁମାର ମିଶ୍ର, ପୂର୍ବତନ ପ୍ରାଚାର୍ଯ୍ୟ ଡ଼ଃ ଉମେଶ ଚନ୍ଦ୍ର ଷଡ଼ଙ୍ଗୀ, ଡେପୁଟି କଲେକ୍ଟର ଅବିନାଶ ଦଲାଇ, ଗୁରୁ ପ୍ରଭାସ କୁମାର ମିଶ୍ର ଓ ଓଡ଼ିଶା ନାଟକ ଏକାଡେମୀର ପୂର୍ବତନ ସଚିବ ପ୍ରମୋଦ କୁମାର ରଥ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କିଛି ବିଶିଷ୍ଟ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କଳାହାଣ୍ଡି କଳାକାର ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
