ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ଏସି, ଅସହ୍ୟ ଗରମରେ କଲବଲ ରୋଗୀ ————————– ବାର ଘଣ୍ଟା ବ୍ୟବଧାନ ରେ ପୁଣି ମୁଖ୍ୟ ଚିକିତ୍ସାଳୟରେ ବିଧାୟକ
ଗଜପତି (ଟିକି ଲିମା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡି ରହିଥିବାରୁ ରୋଗୀ ଓ ରୋଗୀ ସମ୍ପର୍କୀୟ ଭୟଙ୍କର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମର ପ୍ରଚଣ୍ଡ ତାତି ମଧ୍ୟରେ ହସ୍ପିଟାଲର ବିଭିନ୍ନ ୱାର୍ଡ, ଶିଶୁ ଓ ପ୍ରସୂତୀ ବିଭାଗ ଏବଂ ଆଇସିୟୁରେ ଲାଗିଥିବା ଏସି କାମ କରୁନଥିବାରୁ ରୋଗୀଙ୍କ ଯନ୍ତ୍ରଣା ଦ୍ବିଗୁଣିତ ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି ଆଇସିୟୁ ଭଳି ସଂବେଦନଶୀଳ ବିଭାଗରେ ମଧ୍ୟ ଏସି ଅଚଳ ଥିବା ଘଟଣା ସ୍ୱାସ୍ଥ୍ୟ ସେବାର ଅବ୍ୟବସ୍ଥାକୁ ପଦାରେ ପକାଇଛି। ହସ୍ପିଟାଲ କର୍ତ୍ତୃପକ୍ଷ, ସମସ୍ତ ଏସିର ରକ୍ଷଣାବେକ୍ଷଣ ପୂର୍ତ୍ତ ବିଭାଗର ଜିଡି ଶାଖା ଅଧୀନରେ ଥିବା କହି ଦାୟିତ୍ୱ ଏଡାଇ ଯାଉଥିବା ବେଳେ ସମସ୍ୟା ନେଇ ଜିଡି ବିଭାଗ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ସଠିକ୍ ପ୍ରତିକ୍ରିୟା ମିଳୁନଥିବା ଅଭିଯୋଗ ହୋଇଛି। ଗ୍ରୀଷ୍ମ ଋତୁ ପୂର୍ବରୁ ହୋଇଥିବା ପ୍ରସ୍ତୁତି ବୈଠକ ଓ ପ୍ରାକୃତିକ ବିପର୍ଯ୍ୟୟ ସମୀକ୍ଷା ବୈଠକରେ ହସ୍ପିଟାଲର ସମସ୍ତ ଏସିକୁ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଇନଥିବା ଆଲୋଚନା ହେଉଛି।
ଏପରି ସମୟରେ ସ୍ଥାନୀୟ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ହସ୍ପିଟାଲ ପରିଦର୍ଶନ କରି ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହର ପ୍ରଭାବରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଏକ ହଟ୍ ଚ୍ୟାମ୍ବରରେ ରଖାଯିବା ଭଳି ଏବଂ ବିଭିନ୍ନ ବିଭାଗର ଅବ୍ୟବସ୍ଥା ଓଇ ହସପିଟାଲର ଶୈଚାଳୟ ଗୁଡ଼ିକ ସଫା ନହୋଇ ଦୁର୍ଗନ୍ଧ ହେବା ଆଦି ଅବ୍ୟବସ୍ଥା ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ କରି ଶିଶୁ ବିଭାଗ ଓ ଆଇସିୟୁରେ ଏସି ଅଚଳ ଥିବା ଦେଖି ସେ ବିରକ୍ତି ପ୍ରକାଶ କରିଥିଲେ, ସଦ୍ୟଜାତ ଶିଶୁଙ୍କ ନିମନ୍ତେ ତୁରନ୍ତ ଶୀତତାପ ନିୟନ୍ତ୍ରିଣ କକ୍ଷର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରି ସମସ୍ତ କକ୍ଷରେ ଥିବା ସମସ୍ୟାର ସମାଧାନମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ। ଅପରପକ୍ଷରେ ଗତକାଲି ସନ୍ଧ୍ୟାରେ ହଠାତ ହସ୍ପିଟାଲ ପରିଦର୍ଶନ ସମୟରେ ଦାୟିତ୍ଵରେ ଥିବା କର୍ମଚାରୀଙ୍କୁ ବିଧାୟକଙ୍କ ତାଗିଦ୍ ପରେ ଧର୍ମକୁ ଆଖି ଠାର ଭଳି ଶୈଚାଳୟ ଗୁଡ଼ିକ ସଫା କରାଯାଇଥିବା ବେଳେ କିଛି କିଛି କୋଠରୀର ଏସି ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳୁ ସିଡିଏମଓ ଙ୍କୁ ସାଥିରେ ନେଇ ମୂଖ୍ୟ ଚିକିତ୍ସାଳୟର ସମସ୍ତ ଓ୍ବାର୍ଡ ବୁଲି ସମସ୍ୟା ଗୁଡିକର ସମାଧାନ ପାଇଁ ଆଲୋଚନା କରିଛନ୍ତି ବିଧାୟକ।
