ଦେବଗଡ଼ ଜିଲ୍ଲାରେ ୧୧ତମ କୃଷି ଗଣନାର ତୃତୀୟ ପର୍ଯ୍ୟାୟ ନିବେଶ ସର୍ଭେ ସମନ୍ୱୟ ବୈଠକ ଅନୁଷ୍ଠିତ
ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ୧୧ତମ କୃଷି ଗଣନାର ତୃତୀୟ ପର୍ଯ୍ୟାୟ ନିବେଶ ସର୍ଭେ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଗୟାରାମ୍ ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ଏବଂ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ଯେ, କୃଷି ଗଣନା ହେଉଛି ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଦେଶବ୍ୟାପୀ ପରିସଂଖ୍ୟାନ କାର୍ଯ୍ୟକ୍ରମ, ଯାହା ମାଧ୍ୟମରେ କୃଷି ଜମିର ଆକାର, ଭୂମି ବ୍ୟବହାର, କୃଷି ଯନ୍ତ୍ରପାତି, ବିହନ, ସାର, କୀଟନାଶକ ଓ ଋଣ ସହିତ ବିଭିନ୍ନ କୃଷି ନିବେଶ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଏ। ଏହି ସମସ୍ତ ତଥ୍ୟ କୃଷି ଯୋଜନା ଓ ନୀତି ପ୍ରଣୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ସେ ଆହୁରି କହିଥିଲେ ଯେ, ୨୦୨୨-୨୩ କୃଷି ବର୍ଷ ପାଇଁ ଦେବଗଡ଼ ଜିଲ୍ଲାର ୫୪ଟି ନମୁନା ଗ୍ରାମରେ କୃଷି ଇନପୁଟ ବ୍ୟବହାର ସମ୍ବନ୍ଧୀୟ ସୂଚନା ସଂଗ୍ରହ କରାଯିବ। ବିଶେଷକରି ସାର, କୀଟନାଶକ, ବିହନ, ଯନ୍ତ୍ରପାତି ଓ କୃଷି ଋଣ ବ୍ୟବହାର ଉପରେ ତଥ୍ୟ ସଂଗ୍ରହ କରି ଭବିଷ୍ୟତରେ କୃଷକମୁଖୀ ନୀତି ନିର୍ଦ୍ଧାରଣ କରାଯିବାରେ ଏହା ସହାୟକ ହେବ ବୋଲି ଜିଲ୍ଲାପାଳ ଆଲୋକପାତ କରିଥିଲେ।
ଏହି ବୈଠକରେ ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ କୁମାର ପାତ୍ର, ଜିଲ୍ଲା କୃଷି ଅଧିକାରୀ ମନୋଜ ମାରାଣ୍ଡି, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଜିତେନ୍ଦ୍ର କୁମାର ପଣ୍ଡା, ସହକାରୀ ନିର୍ଦ୍ଦେଶକ ପରିସଂଖ୍ୟାନ ଭରତ ଚନ୍ଦ୍ର ଶୁଣ୍ଢି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
