ବୌଦ୍ଧରେ ଘରୋଇ ହିଂସା ନିରାକରଣ ପାଇଁ ନେସନାଲ ଲ ୟୁନିଭରସିଟି ର ପରାମର୍ଶ ବୈଠକ ଅନୁଷ୍ଠିତ l
ବୌଦ୍ଧ , ତା,୦୬/୦୫ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲା ତାଲିମ୍ କେନ୍ଦ୍ର, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ,ବୌଦ୍ଧ ଠାରେ ବୌଦ୍ଧ, ସୋନପୁର ଓ କନ୍ଧମାଳ ଜିଲ୍ଲାକୁ ନେଇ ଏକ ସମୁଦାୟ ସ୍ତରୀୟ ହିତାଧିକାରୀ ଅଂଶୀଦାର ମାନଙ୍କ ସହିତ ପରାମର୍ଶ କେନ୍ଦ୍ରିତ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର କାର୍ଯ୍ୟକ୍ରମ ପରିଚାଳକ ରାଜ କିଶୋର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ବୈଠକରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବୌଦ୍ଧ ଜିଲ୍ଲା ପୋଲିସ ଡିଏସ୍ ପି ଶ୍ରୀମତୀ ସ୍ମିତା ସୁବାସିନୀ ଟେଟେ, ସରକାରୀ ମେଡିକାଲ ଅଫିସର୍ ଡଃ ନାରାୟଣ ପଶାୟତ, ଡଃ ଅମିତାଭ ଦାସ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସହକାରୀ ପ୍ରବନ୍ଧକ ମୃତ୍ୟୁଞ୍ଜୟ ଭୁଜବଳ ଅତିଥି ରୂପେ ଯୋଗଦାନ କରିଥିଲେ l ଘରୋଇ ହିଂସା ଏବଂ ଶୋଷଣ ବିରୁଦ୍ଧରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ଏବଂ ଘରୋଇ ହିଂସାକୁ ସମାଧାନ କରିବାରେ ବିଦ୍ୟମାନ ବ୍ୟବସ୍ଥା ଓ ବିଭିନ୍ନ ଅନୁଷ୍ଠାନ କିପରି ସାହାଯ୍ୟ କରୁଛି ସେ ବିଷୟରେ ଅତିଥିମାନେ ଅବଗତ କରାଇଥିଲେ। ଆତ୍ମ ନିର୍ଭର ଓ ସଚେତନ ହେଲେ ନାରୀ ସୁରକ୍ଷିତ ହେବେ, ନାରୀମାନେ ଯଦି ଶିକ୍ଷିତ, ସ୍ୱାବଲମ୍ବୀ ହୁଅନ୍ତି ତେବେ ସେମାନଙ୍କ ଉପରେ ହିଂସାର ଘଟଣା ହ୍ରାସ ପାଇବ ବୋଲି ମତାମତ ରଖିଥିଲେ।
ଶିବିରରେ ବୌଦ୍ଧ, ସୋନପୁର ଓ କନ୍ଧମାଳ ଜିଲ୍ଲାର ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ପ୍ରେରଣା ଦିଦି, ସଖୀ କେନ୍ଦ୍ରର ସଂଯୋଜିକା, ଜିଲ୍ଲା ସ୍ତରୀୟ ସ୍ଵଂୟ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦିକା, ଜେଣ୍ଡର ସଂଯୋଜିକା, ଜିଲ୍ଲା ହବ୍ ସଂଯୋଜକ, ସରପଞ୍ଚ,ସମାଜସେବୀ ଏବଂ ପୀଡ଼ିତା ମାନେ ଅଂଶଗ୍ରହଣ କରିଥିଲେ l ଅଂଶଗ୍ରହଣକାରୀ ମାନେ ସମୁଦାୟ ସ୍ତରରେ ଘରୋଇ ହିଂସାର ସମାଧାନ ପାଇଁ ସେମାନଙ୍କର ମତାମତ ଉପସ୍ଥାପନା କରିଥିଲେ। ସେମାନେ ମହିଳା ବିରୋଧୀ ହିଂସା ଦୂର କରିବାରେ ସମୁଦାୟ ସ୍ତରୀୟ ପ୍ରତିନିଧିଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ସମୁଦାୟ ଏବଂ ଅନୁଷ୍ଠାନର ପ୍ରତିନିଧିମାନେ ସମାଜର ସାମ୍ପ୍ରତିକ ପରିସ୍ଥିତିରେ ଗବେଷଣାର ଆବଶ୍ୟକତା ଉପରେ ସେମାନଙ୍କର ମତାମତ ପ୍ରକାଶ କରିଥିଲେ। ପରେ ସମସ୍ତ ଅଂଶୀଦାର ମାନେ ଘରୋଇ ହିଂସା ଏବଂ ଯୌତୁକ ନିଷେଧ ଆଇନର ସମାଧାନ ଉପରେ ପ୍ରଶ୍ନୋତ୍ତର ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ମହିଳାମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଆଇନ ଓ ବ୍ୟବସ୍ଥା ରହିଛି । ଏ ସମ୍ପର୍କରେ ମହିଳାମାନଙ୍କୁ ସଚେତନ କରାଯାଇ ପାରିଲେ ନିର୍ଯାତନାର ଶିକାର ହେଉଥିବା ମହିଳାମାନେ ସୁରକ୍ଷିତ ଓ ଏକ ସମ୍ମାନ ଜନକ ଜୀବନ ବଞ୍ଚି ପାରିବେ ବୋଲି ଗୁରୁତ୍ଵାରୋପ କରା ଯାଇଥିଲା। ମହିଳାମାନଙ୍କ ପ୍ରତି ନିର୍ଯାତନା, କାରଣ ନିରାକରଣ ଓ ସୁରକ୍ଷା ନିମନ୍ତେ ପ୍ରଣୟନ ହୋଇଥିବା ଆଇନ ଅନୁଯାୟୀ ସହାୟତା ବ୍ୟବସ୍ଥା ଏବଂ ବିସ୍ତୃତ ସୂଚନା ଓ ବିଭିନ୍ନ ଉଦାହରଣ ମାଧ୍ୟମରେ ନିର୍ଯାତନାର ଶିକାର ହେଇଥିବା ମହିଳାମାନଙ୍କ ଅଧିକାର, କର୍ତ୍ତବ୍ୟ ଓ ସହଯୋଗ ସମ୍ପର୍କରେ ଆଲୋକପାତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଂଶୀଦାର ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ, ଓଡିଶା ର ପ୍ରକଳ୍ପ ପରିଚାଳକ ସୁଧାଂଶୁ ଭୂଷଣ ମହାରଣା ଏବଂ ରାଜ କିଶୋର ପଣ୍ଡାଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା। ଶେଷରେ ପ୍ରକଳ୍ପ ପରିଚାଳକ ସୁଧାଂଶୁ ଭୂଷଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
