୪ କୋଟିର ଗଂଜେଇ ଜବତ
ବରଗଡ :୦୬/୦୫(ନି ପ୍ର) ବରଗଡ଼ ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ଝାରବନ୍ଧ ଅଞ୍ଚଳରେ ୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଭର୍ତ୍ତି ଏକ ଟ୍ରକ୍କୁ ଜବତ କରାଯାଇଛି। ସୂଚନା ଅନୁସାରେ, ଏହି ଟ୍ରକ୍ଟି ଉତ୍ତର ପ୍ରଦେଶ ନମ୍ବରର ଥିବା କୁହାଯାଉଛି।
ଘଟଣାରେ ଆଉ ଏକ ଚମତ୍କାର ମୋଡ଼ ଆସିଛି। ଗଞ୍ଜେଇ ମାଫିଆ ମଧ୍ୟରେ ବିରୋଧ ହେତୁ ଅନ୍ୟ ଗୋଟିଏ ଗ୍ୟାଙ୍ଗ୍ ଏହି ଟ୍ରକ୍ଟିକୁ ଲୁଟି ନେଇଥିବା ସୂଚନା ମିଳିଛି। ପରେ ମାଫିଆମାନେ ଝାରବନ୍ଧ ଥାନାର କିଛି ପୁଲିସ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିଥିବା ଅଭିଯୋଗ ହୋଇଛି।
ଖବର ମିଳୁଛି ଯେ, ଟ୍ରକ୍ ଫେରାଇବା ପାଇଁ ୨୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ପ୍ରଥମେ ୮ ଲକ୍ଷ ଟଙ୍କା ନେଇ କିଛି ପୁଲିସ କର୍ମଚାରୀ ଟ୍ରକ୍ଟିକୁ ଅଟକାଇଥିଲେ, ଯାହା ଦେଖି ଲୁଟେରା ଗ୍ୟାଙ୍ଗ୍ ପଳାଇଥିଲେ।
କିନ୍ତୁ ତାପରେ ଘଟଣା ଆଉ ଗୁରୁତର ରୂପ ନେଇଥିଲା। ଅଭିଯୋଗ ଅନୁସାରେ, ଟ୍ରକ୍ଟିକୁ ଥାନାକୁ ନେବା ପରିବର୍ତ୍ତେ ଅନ୍ୟ ଏକ ସ୍ଥାନକୁ ନେଇ ଗଞ୍ଜେଇକୁ ପୁଣିଥରେ ପାର କରିବା ପାଇଁ ଯୋଜନା କରାଯାଉଥିଲା।
ଏହି ଘଟଣା ବିଷୟରେ ବରଗଡ଼ ଏସପି ଖବର ପାଇବା ସହିତ ତୁରନ୍ତ ପଦକ୍ଷେପ ନେଇଥିଲେ ଏବଂ ପାଇକମାଲ IICଙ୍କୁ ଘଟଣାସ୍ଥଳକୁ ପଠାଇ ଗଞ୍ଜେଇ ଭର୍ତ୍ତି ଟ୍ରକ୍କୁ ଜବତ କରାଯାଇଥିଲା। ବର୍ତ୍ତମାନ ସମସ୍ତ ଗଞ୍ଜେଇ ପୁଲିସ ହେପାଜତରେ ରହିଛି।
ଏହି ଘଟଣା ପୁଲିସ ବିଭାଗ ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। କିଛି ନିମ୍ନସ୍ତରୀୟ ପୁଲିସ କର୍ମଚାରୀ ମାଫିଆ ସହ ମିଶିଥିବା ଅଭିଯୋଗ ହେଉଛି। ଏହା ପୁଲିସ ବିଭାଗର ଛବିକୁ ଖରାପ କରୁଛି।
