
ନିମ୍ନମାନର କାର୍ଯ୍ୟ ସହ ଦାୟିତ୍ୱହୀନତା ଯୋଗୁଁ ଧସିଲା ପିଚୁ ରାସ୍ତା
ତା-୨୫/୦୪/୨୬
ଦଶରଥପୁର
ରିପୋର୍ଟର- ମାନସ କୁମାର ସାହୁ
ଜନ ସାଧାରଣଙ୍କ ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ଘାଟ ନିର୍ମାଣ କରୁଛନ୍ତି. ହେଲେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁଁ ଏହା ସଫଳ ରୂପାୟନ ହୋଇ ପାରୁନଥିବା ଦେଖିବାକୁ ମିଳିଛି. ଅବଧି ସରିବାର ୩ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନାହିଁ. ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର- ବଡ଼କୁଆଁଲ ଗ୍ରାମ୍ୟ ଉନ୍ନୟନ ରାସ୍ତା ଧସିଯାଇଛି. ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ପାଲଟପୁର ପଞ୍ଚାୟତ ବିନ୍ଧା ନନ୍ଦିପୁର ବିଦ୍ୟାଳୟ ନିକଟରେ ପିଚୁ ରାସ୍ତା ହାରାହାରି ୫୦ଫୁଟ ରୁ ଅଧିକ ଲମ୍ବ ଧସିମାଇଥିବା ଦେଖିବାକୁ ମିଳିଛି. ଧସିଥିବା ରାସ୍ତାକୁ ଲୁଚାଇବା ନିମନ୍ତେ ବାଲି ଢାଳି ଢାଙ୍କି ଥିବା ବେଳେ ବାଉଁଶ ଖୁଣ୍ଟ ଦ୍ଵାରା ଅସ୍ଥାୟୀ ବ୍ୟାରିକେଡ୍ କରାଯାଇଛି. ଏହା ଦ୍ୱାରା ରାତିରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ରାସ୍ତା ମଝିରେ ବ୍ୟାରିକେଡ୍ ନିର୍ମାଣ ସହ ଆଲୋକ ବ୍ୟବସ୍ଥା କରାଯାଇ ନ ଥିବା ଯୋଗୁଁ ରାସ୍ତାରେ ଦୁର୍ଘଟଣା ଘଟୁଛି. ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ମଙ୍ଗଳପୁର-ବଡ଼କୁଆଁଲ ରାସ୍ତା ସଂପ୍ରସାରଣ ପାଇଁ ୨୦୨୨ ମସିହାରେ ଅର୍ଥ ବାବଦକୁ ୮ କୋଟି ୩୧ ଲକ୍ଷ ବ୍ୟୟ ମଞ୍ଜୁର କରାଯାଇଥିଲା. ରାସ୍ତା କାର୍ଯ୍ୟ ଶେଷ ହେବାର ଅବଧି ୩ବର୍ଷ ବିତିଯାଇଥିଲେ ମଧ୍ୟ ତଥାପି ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନାହିଁ. ପ୍ରତ୍ୟେକ ଦିନ ଉକ୍ତ ରାସ୍ତା ଉପରେ ହଜାର ହଜାର ଯାନବାହାନ ଚଳାଚଳ କରିଥାଏ . ରାସ୍ତାଟି ଧସିଥିବା ରୁ ଭାରି ଯାନ ସହ ଅନ୍ୟାନ୍ୟ ଯାନବାହନ ଚଳାଚଳ କରିବାରେ ବାଧା ସୃଷ୍ଟି ହେଉଛି. ତେବେ ନିମ୍ନମାନର କାର୍ଯ୍ୟ ସହ ଦାୟିତ୍ୱହୀନତା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି. ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଅଧିକାରୀ ଓ ଠିକା ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜୋର୍ ଧରିଛି.
