ପ୍ରସିଦ୍ଧ ଗୋରେଖନାଥ ଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ପୀଠରେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଅଷ୍ଟଦୀନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଏହି କ୍ରମରେ ସୋମବାର ସନ୍ଧ୍ୟାରେ ଜଇପୁର ସ୍ଥିତ ମହାନଦୀରୁ କଳସ ବୁଡାଇ ଏକ ଶୋଭାଯାତ୍ରାରେ ଯଜ୍ଞସ୍ଥଳକୁ ଅଣାଯାଇଥିଲା। ଘଟ ସ୍ଥାପନ ପରେ ମଙ୍ଗଳବାର ସୂର୍ଯ୍ୟପୂଜା, ଗୋପୂଜା ଓ ସର୍ବଦେବାଦେବୀ ପୂଜା ଅନୁଷ୍ଠିତ ହୋଇ ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇ ଆହୁତି ପ୍ରଦାନ କରାଯାଇଥିଲା। ଭକ୍ତ ମାନଙ୍କ ଆଗମନକୁ ଲକ୍ଷ ରଖି ପୀଠରେ ପର୍ଯ୍ୟାପ୍ତ ପାନୀୟଜଳର ବ୍ୟବସ୍ଥା ସହ ପରିମଳ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଯାଇଛି। ଏଥିସହ ଫାଷ୍ଟେଡ ସୁବିଧା ଓ ଆଲୋକିକରଣ ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଚଳିତ ବର୍ଷ ପୀଠକୁ ଆସିବାକୁ ଥିବା ପ୍ରମୁଖ ରାସ୍ତା ଓ ପୀଠ ପରିସରରେ ପୋଲିସ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ସୂଚନା ମିଳିଛି। ପ୍ରତ୍ୟେକ ଦିନ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ପୀଠ ପକ୍ଷରୁ ପ୍ରସାଦ ସେବନର ବି ବ୍ୟବସ୍ଥା କରାଯାଇଛି। ପୀଠ କାର୍ଯ୍ୟନିର୍ବାହୀ ଅଧିକାରୀ ସୋର୍ଯ୍ୟରଞ୍ଜନ ପରିଜାଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହେଉଛି। ପୀଠ କିରାଣୀ ସରୋଜ କୁମାର ସାହାଣୀ ଓ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଉପଦେଷ୍ଟା ସୁରେନ୍ଦ୍ରନାଥ ସ୍ବାଇଁ,ସୁଶାନ୍ତ କୁମାର ଦାଶ,ବିଜୟ କୁମାର ସ୍ବାଇଁ ଓ ଅନ୍ୟମାନେ ଏହି ଭବ୍ୟ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି। କୋଠ ପାଳିଆ ଭାବେ ପ୍ରଭୁଙ୍କ ସମସ୍ତ ସେବକମାନେ ସେବାକାର୍ଯ୍ୟରେ ନିୟୋଜିତ ଥିବାବେଳେ ୧୧ ଜଣ ବୈଦିକ ପଣ୍ଡିତଙ୍କ ଦ୍ବାରା ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେଉଛି। ଏହି ଯଜ୍ଞ ରେ ନିରଞ୍ଜନ ମହାନ୍ତି ଓ ମମତା ମହାନ୍ତି କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି। ଏହି ପିଠରେ ଯଜ୍ଞ ଆରମ୍ଭ ଠାରୁ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ଲକ୍ଷାଧିକ ଭକ୍ତଙ୍କ ସମାଗମ ଥିବାରୁ ଆବଶ୍ୟକ ସୁରକ୍ଷା ଯୋଗାଇଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।
