ମଧୁବାବୁ ଭତ୍ତା ଅପେକ୍ଷା ରେ ହଜାର ହଜାର ହିତାଧିକାରୀ
*ଯାଞ୍ଚ ହେଉ ନାହିଁ କି ମଞ୍ଜୁର ହେଉ ନାହିଁ.
ତା-୨୨/୦୪/୨୬
ଦଶରଥପୁର
ରିପୋର୍ଟର- ମାନସ କୁମାର ସାହୁ
ଯାଜପୁର ଜିଲ୍ଲା ଅନ୍ତର୍ଗତ ଦଶରଥପୁର ବ୍ଲକ ଗ୍ରାମାଞ୍ଚଳରେ ବହୁ ବୃଦ୍ଧ, ବିଧବା, ଦିବ୍ୟାଙ୍ଗ ମଧୁବାବୁ ପେନ୍ସନ୍(ଭତ୍ତା) ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଛନ୍ତି. ଉକ୍ତ ଯୋଜନାଟି ଗରିବ ଓ ଅସହାୟ ଲୋକଙ୍କ ପାଇଁ ଆଶାର ଆଲୋକ ସଦୃଶ ସାଜିଥିବା ବେଳେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ରେ ବାସ୍ତବ ଚିତ୍ର କିନ୍ତୁ ନୈରାଶ୍ୟଜନକ ଦେଖିବାକୁ ମିଳିଛି. ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଭତ୍ତା ବୃଦ୍ଧି, ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ରହିଥିବା ଯୋଜନାକୁ ତ୍ଵରାନିତ କରିବାକୁ ପ୍ରତିଶୃତି ଦେଇଥିଲା କିନ୍ତୁ ସରକାର ଗଠିତ ହେବାର ୨ ବର୍ଷ ବିତିବାକୁ ବସିଥିବା ବେଳେ ଆଜି ବି ମଧୁବାବୁ ପେନ୍ସନ୍ ଭତ୍ତା ପାଇବା ଅପେକ୍ଷାରେ ହଜାର ହଜାର ହିତାଧିକାରୀ ଚାତକ ପରି ଚାହିଁ ରହିଛନ୍ତି. ବିଭିନ୍ନ ବର୍ଗର ଅସହାୟ ଗରିବ, ବୃଦ୍ଧ, ବିଧବା, ଭିନ୍ନକ୍ଷମ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଭତ୍ତା ହେଉଛି ଜୀବନର ଆଧାର. କିଛି ବର୍ଷ ହେଲା ଏହି ଭତ୍ତା ପାଇଁ ହିତାଧିକାରୀଙ୍କ ଲମ୍ବା ଲାଇନ୍ ରହିଛି. ଭିନ୍ନ ଭିନ୍ନ ଅଧିକାରୀଙ୍କ ପାଖରେ ଶହ ଶହ ଆବେଦନପତ୍ର ପଡ଼ି ରହିଛି. ଆବଶ୍ୟକ ସମୟରେ ଯାଞ୍ଚ କିମ୍ବା ପଦକ୍ଷେପ ନିଆଯାଇ ନଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବାରୁ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି. ଅନେକ ଆବେଦନପତ୍ର ଯାଞ୍ଚ ପ୍ରକ୍ରିୟାରେ ଅଟକି ରହିଛି. ତେବେ ମିଳିଥିବା ସୂଚନା ଅନୁସାରେ ଦଶରଥପୁର ବ୍ଲକ ୩୫ଟି ପଞ୍ଚାୟତରେ ସମୁଦାୟ ୪୨୮୧ ଜଣ ହିତାଧିକାରୀଙ୍କ ଆବେଦନ ପତ୍ର ବିଭିନ୍ନ ଅଧିକାରୀଙ୍କ ପାଖରେ ଯାଞ୍ଚ ହେବା ନିମନ୍ତେ ଅଟକି ରହିଛି. ଅଧିକାରୀମାନେ କାହିଁକି ଉକ୍ତ ଆବେଦନ ପତ୍ର ଗୁଡିକୁ ଯାଞ୍ଚ କରୁ ନାହାନ୍ତି କି ଭତ୍ତା ମଞ୍ଜୁର କରୁ ନାହାନ୍ତି ଯାହା ପ୍ରଶ୍ନବାଚୀ ସୃଷ୍ଟି କରିଛି. ଯୋଜନା ର ଉଦ୍ଦେଶ୍ୟ ଯଦି ସତରେ ଗରିବ ଓ ଅସହାୟଙ୍କ ସହାୟତା କରିବା ତେବେ ଦଶରଥପୁର ବ୍ଲକ ରେ ଲମ୍ବିଥିବା ଆବେଦନଗୁଡ଼ିକୁ ଶୀଘ୍ର ସମାଧାନ କରିବା ଆବଶ୍ୟକ ନଚେତ୍ ଭତ୍ତା ପାଇଁ ଅପେକ୍ଷା କରିଥିବା ଲୋକମାନଙ୍କ ଆଶା ଧିରେ ଧିରେ ନିରାଶାରେ ପରିଣତ ହେବ. ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ନକରିବାର ପରିତାପର ବିଷୟ ସାଜିଛି.
