୧୯ କିଲୋରୁ ଅଧିକ ଗଞ୍ଜେଇ ଜବତ: ବେତନଟୀ ପୋଲିସର ବଡ ସଫଳତା,ଜଣେ ଗିରଫ
ବେତନଟୀ, ୧୧/୪ :ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ଉପରେ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ, ବିସ୍ଵସ୍ଥ ସୂତ୍ରରୁ ଖବର ପରେ ବେତନଟୀ ପୋଲିସ ପେଟ୍ରୋଲିଙ୍ଗ ଦଳ ବହୁ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ପୋଲିସ ସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁସାରେ, ବାଲେଶ୍ୱର ଦିଗରୁ ବେତନଟୀ ଅଭିମୁଖେ ଏକ ବାଇକ ଯୋଗେ ଅବୈଧ ଭାବେ ଗଞ୍ଜେଇ ପରିବହନ କରାଯାଉଥିବା ଖବର ମିଳିବା ପରେ ଆଇ ଆଇ ସି କ୍ରିଷ୍ଣା ପିଙ୍ଗୁଆ ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ମଦନ ପରିଡା ଙ୍କ ନେତୃତ୍ୱ ରେ ଏକ ପେଟ୍ରୋଲିଙ୍ଗ ଦଳ, ୧୮ ନମ୍ବର ଜାତୀୟ ରାଜପଥର ବେତନଟୀ ଥାନା ଅଧୀନ ବେତନଟୀ ପୁରୁଣା ଦମକଳ କେନ୍ଦ୍ର ନିକଟରେ କିଛି ସନ୍ଦେହଜନ ଗାଡି ଗୁଡିକୁ ଅଟକାଇଥିଲେ। ତଦନ୍ତ ସମୟରେ ଏକ ବାଇକରୁ ୧୯ କିଲୋ ୬୮୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ବଡ଼ସାହି ସୋରିଷକୋଠା ଅଞ୍ଚଳର ଶମ୍ଭୁ ମହାଳିକଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନିକଟରୁ ଗଞ୍ଜେଇ ସହିତ ବ୍ୟବହୃତ ବାଇକକୁ ମଧ୍ୟ ଜବତ କରାଯାଇଛି। ଜବତ ଗଞ୍ଜେଇର ଅନୁମାନିତ ବଜାର ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ଅନୁମାନ କରାଯାଇଛି।
ଏହି ଚଢ଼ାଉ କାର୍ଯ୍ୟରେ ବେତନଟୀ ପୋଲିସ ସହ ବେତନଟୀ ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣା ଉପସ୍ଥିତ ଥିବା ବେଳେ, ସମସ୍ତ ପ୍ରକ୍ରିୟାକୁ ଆଇନଗତ ନିୟମାବଳୀ ଅନୁଯାୟୀ କରାଯାଇଥିବା ସୂଚନା ମିଳିଛି।ଏହି ଘଟଣାରେ ବେତନଟୀ ଥାନାରେ ଏନଡିପିଏସ ଆଇନ, ଅନୁସାରେ ଏକ ମାମଲା ରଜୁ କରାଯାଇଥିବା ବେଳେ, ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଅଧିକ ତଦନ୍ତ ଚାଲିଥିବା ବେଳେ, ଏହି ଚୋରା ଚାଲାଣ ରାକେଟ୍ରେ ଅନ୍ୟ କିଏ ଜଡିତ ଅଛନ୍ତି କି ନାହିଁ, ସେନେଇ ପୋଲିସ ଖୋଳ ତାଡ଼ ଚାଲାଇଛି।
