ତାରସିଂ ପୋଲିସ ର ବଡ ସଫଳତା ଉତ୍ତରପ୍ରଦେଶର ୬ ଯୁବକଙ୍କୁ ବାନ୍ଧିଲା ପୋଲିସ,
———————————-
ଭଞ୍ଜନଗର,୦୯/୦୩(ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ତାରସିଂ ଥାନା ପୋଲିସ ସୋମବାର ଉତ୍ତରପ୍ରଦେଶର ୬ ଜଣ ଯୁବକଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଭଞ୍ଜନଗର ଓ ଆଖ ପାଖ ଅଞ୍ଚଳର ବିଭିନ୍ନ ଗ୍ରାମରେ ବୁଲିବୁଲି କିଛି ନାମୀଦାମୀ କମ୍ପାନୀର ଜିନିଷକୁ କମ୍ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୋଲିସର ସନ୍ଦେହ ବଢ଼ିବା ସହ ଅଭିଯୁକ୍ତମାନଙ୍କୁ ଅଟକ ରଖି ବିକ୍ରି କରୁଥିବା ଜିନିଷର ରସିଦ ମାଗିଥିଲେ। କିନ୍ତୁ ସେମାନେ ରସିଦ ଦେଖାଇ ପାରି ନ ଥିଲେ। ତେଣୁ ଏହା ଚୋରା ଜିନିଷ ବୋଲି ପୋଲିସ ସନ୍ଦେହ କରୁଛି। ତେଣୁ ଏହିଭଳି ବେନିୟମ କାରବାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏଥିସହ ସେମାନଙ୍କଠାରୁ ପୋଲିସ ଏକାଧିକ ମୋବାଇଲ ଫୋନ୍, ଗ୍ୟାସ ଚୁଲା, ଏଲ୍ଇଡି ଟିଭି, ଘଣ୍ଟା, ଗାଡ଼ି ପ୍ରମୁଖ ଜିନିଷ ଜବତ କରିଛି। ଏନେଇ ପୋଲିସ ୬୯/୨୦୨୬ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତମାନେ ଭଞ୍ଜନଗର ସହର ରେ ଉତ୍ତରପ୍ରଦେଶରୁ ଆସି ଭଡ଼ା ଘରେ ରହି ବୁଲିବୁଲି ବ୍ୟବସାୟ କରୁଥିଲେ। ଗତକାଲି ସେଥିମଧ୍ୟରୁ ଦୁଇଜଣ ରାଇପଲ୍ଲୀ ଅଞ୍ଚଳରେ ବିଭିନ୍ନ ନାମିଦାମୀ ଜିନିଷ ଗ୍ରାହକଙ୍କୁ ବିକ୍ରି କରୁଥିଲେ। ଏନେଇ ଲୋକେ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଆସିବାର ଜାଣି ସେମାନେ ସେଠାରୁ ଚାଲି ଯାଇଥିଲେ। ଏହାପରେ ପୋଲିସ ତିନିଛକିଆ ନିକଟରେ ସେମାନଙ୍କୁ କାବୁ କରି ପଚରାଉଚରା କରିବା ପରେ ସେମାନେ ଧରିଥିବା ଜିନିଷର ବିଲ ଦେଖାଇ ପାରି ନ ଥିଲେ। ତେଣୁ ପୋଲିସ ତଦନ୍ତ କରି ୬ ଜଣକୁ ଗିରଫ କରିଛି। ଏନେଇ ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ କହିଛନ୍ତି ଯେ, ବିକ୍ରି କରାଯାଉଥିବା ଜିନିଷଗୁଡ଼ିକ ଚୋରି ଜିନିଷ ହୋଇଥାଇପାରେ। ତେଣୁ ଜନସାଧାରଣ ଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।
