ଖୋଲା ଛାଡ଼ିଦେବାରୁ ପାଣି ନୁହେଁ, କାଦୁଅରେ ଭର୍ତ୍ତି ଗାଁ ରାସ୍ତା।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଧାମଡଙ୍ଗ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମକୁ ବିଧାୟକ ରୂପେଶ ପାଣିଗ୍ରାହୀ ଗସ୍ତ କରି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି।
ଗ୍ରାମରେ ପ୍ରବେଶ କରିବା ସମୟରେ ରାସ୍ତାର ଅବସ୍ଥା ଦେଖି ବିଧାୟକଙ୍କ ଦୃଷ୍ଟି ଆକର୍ଷିତ ହୋଇଥିଲା। ଗ୍ରାମରେ ପାଇପ୍ଲାଇନ୍ କାମ ପାଇଁ ରାସ୍ତା ଖୋଲାଯାଇ ମରାମତି ନକରି ଛାଡ଼ି ଦିଆଯାଇଥିବାରୁ ପାଣି ବାହାରି ରାସ୍ତାରେ ଜମି ରହୁଛି। ଫଳରେ ଗ୍ରାମର ରାସ୍ତା କାଦୁଅରେ ପରିଣତ ହେବା ସହ ଗ୍ରାମବାସୀଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି।
ଅନ୍ୟପକ୍ଷରେ ପାଇପ୍ଲାଇନ୍ରୁ ଠିକ୍ ଭାବେ ପାଣି ଯୋଗାଣ ହେଉନଥିବାରୁ ଗ୍ରାମବାସୀ ପିଇବା ପାଣି ପାଇଁ ମଧ୍ୟ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀମାନେ ଏହି ସମସ୍ୟା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ନଜରକୁ ଆଣିଥିଲେ।
ଅଭିଯୋଗ ଶୁଣିବା ପରେ ବିଧାୟକ ତୁରନ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ସମସ୍ୟାର ଶୀଘ୍ର ସମାଧାନ ଏବଂ ପାଇପ୍ଲାଇନ୍ର ଆବଶ୍ୟକ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମବାସୀଙ୍କୁ ନିୟମିତ ଓ ସୁବ୍ୟବସ୍ଥିତ ପାନୀୟ ଜଳ ଯୋଗାଣ ସହ ରାସ୍ତାର ସମସ୍ୟା ଦୂର କରିବା ଉପରେ ଗୁରୁତ୍ୱ ଦେଇଥିଲେ।
ଏହି ଗସ୍ତ ସମୟରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସ୍ଥାନୀୟ ସରପଞ୍ଚଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ପରେ ବିଧାୟକଙ୍କ ତୁରନ୍ତ ହସ୍ତକ୍ଷେପକୁ ନେଇ ସ୍ଥାନୀୟ ଲୋକେ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।
